ବାଲେଶ୍ୱର : ସମୁଦ୍ରରେ ୮ଫୁଟ ଉଚ୍ଚର ଜୁଆର, କୂଳବାସୀ ଭୟଭୀତ
- ନିର୍ମାଣଧୀନ ସ୍ଲୁଇସଗେଟ୍ ଦେଇ ପଶିଲା ପାଣି
ବାଲେଶ୍ୱର : ଅମାବାସ୍ୟା ଓ ଲଘୁଚାପ ପ୍ରଭାବରେ ଫୁଲୁଛି ସମୁଦ୍ର। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ଉଦୟପୁର, ତାଳସାରି, ବିଚିତ୍ରପୁର ଓ କୀର୍ତ୍ତନୀଆ ସମୁଦ୍ର ବେଳାଭୂମିରେ ଆଠ ଫୁଟରୁ ଅଧିକ ଉଚ୍ଚର ଜୁଆର। ସମୁଦ୍ରର ଭୟଙ୍କର ରୂପ ଦେଖି କୂଳବାସୀ ଭୟଭୀତ ହୋଇଛନ୍ତି। ୟାସ ପରେ ସ୍ଥାନୀୟ ଛୋଟ ଛୋଟ ବ୍ୟବସାୟୀ ମାନେ ପୁଣି ଅଣ୍ଟା ସଲଖି ବ୍ୟବସାୟ ପାଇଁ ଦୋକାନ ମେଲୁଥିବା ବେଳେ ଉଚ୍ଚ ଜୁଆର ଭୟରେ ଭୟଭୀତ ହୋଇ ପଡିଛନ୍ତି। ଜେଟି ଉପରକୁ ପାଣି ମାଡି ଆସୁଥିବାରୁ ମତ୍ସଜୀବୀ ମାନେ ସୁରଖିତ ସ୍ଥାନକୁ ଜାଲ ଓ ଡଙ୍ଗା ନେଉଛନ୍ତି। ୟାସ ବେଳେ ଉଚ୍ଚ ଜୁଆର ଆସି ଗାଁ ଭିତରେ ଅନେକ କ୍ଷତି କରିଥିବାରୁ ପୁଣି ଜୂଆର ଦେଖି ଲୋକେ ଭୟଭୀତ ଅଛନ୍ତି। ଉପକୂଳରେ ପଥର ବନ୍ଧ ପାଇଁ ଲୋକେ ସରକାରଙ୍କୁ ନିବେଦନ କରୁଛନ୍ତି।
ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ ହୋଇଛି । ଦୁଇଦିନ ଧରି ଝଡ଼ବର୍ଷା ଲାଗି ରହିଥିବା ବେଳେ କୌଶିକ ଅମାବାସ୍ୟା ତିଥିରେ ସମୁଦ୍ର ଉତ୍ତାଳ ହୋଇ ୧୦ଫୁଟ୍ ଉଚ୍ଚର ଢ଼େଉ କୂଳ ଆଡ଼କୁ ମାଡ଼ି ଆସି ସୁରକ୍ଷା ପଥର ବନ୍ଧରେ ମଙ୍ଗଳବାର ମାଡ଼ କରିଛି । ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଉପକୂଳ ଉଦୟପୁର-ତାଳସାରୀ, ବିଚିତ୍ରପୁର, କୀର୍ତ୍ତନିଆ, ଚଉମୁଖ, କଙ୍କଡ଼ାପାଳ ପ୍ରଭୃତି ସ୍ଥାନରେ ସମୁଦ୍ରର ଉତ୍ତାଳ ଢ଼େଉ କୂଳ ଆଡ଼କୁ ମାଡ଼ି ଆସି ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିଛି । ଉଦୟପୁର ଠାରୁ ତାଳସାରୀ ପର୍ଯ୍ୟନ୍ତ ମେରାଇନ୍ ଡ୍ରାଇଭ ରୋଡ୍ରେ ନିର୍ମାଣଧୀନ ସ୍ଲୁସ ଗେଯ୍ ଦେଇ ସମୁଦ୍ର ଜୁଆର ଉଦୟପୁର ଗାଁକୁ ପ୍ରବେଶ କରିଥିବା ବେଳେ ତାଳସାରୀ ମତ୍ସ୍ୟ ଅବତରଣ କେନ୍ଦ୍ର ଉପରକୁ ଜୁଆର ପ୍ରବେଶ କରିଥିବା ବେଳେ ଉଦୟପୁର ସ୍ଲୁଇସଗେଟ୍ କାର୍ଯ୍ୟ ମନ୍ଥର ଓ ନିମ୍ନମାନର କାର୍ଯ୍ୟ ହେବାର ଅଭିଯୋଗ ହୋଇଆସୁଥିଲା ବେଳେ କୂଳବାସୀଙ୍କୁ ସେଚ ବିଭାଗ ବିପଦ ମୁହଁକୁ ଠେଲି ଦେଉଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ଦୀଘା, ଶଙ୍କରପୁର, ତାଜପୁର, ମନ୍ଦାରମଣି ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ସମୁଦ୍ରର ଜଳଚ୍ଛାସ ହୋଇ ଗାଁ ଗଣ୍ଡାକୁ ଲୁଣି ପାଣି ପ୍ରବେଶ କରିଛି । ସମୁଦ୍ର ଉତ୍ତାଳ ଥିବାବେଳେ ନିଷେଧାଜ୍ଞା ଅମାନ୍ୟ କରି ପଶ୍ଚିମବଙ୍ଗ ଦକ୍ଷିଣ୨୪ ପରଗଣା ଜିଲା ନାମଖାନା ଅଞ୍ଚଳର ୬ଜଣ ମତ୍ସ୍ୟଜୀବୀ ଗତ ଶନିବାର ଠାରୁ ଏକ ଟ୍ରଲରରେ ମାଛ ମାରିବାକୁ ଯାଇଥିବା ବେଳେ ସାମୁଦ୍ରିକ ଝଡ଼ର ସମ୍ମୁଖୀନ ହୋଇ ନିଖୋଜ ଥିଲେ । ମଙ୍ଗଳବାରଏହି ୬ ମତ୍ସ୍ୟଜୀବୀଙ୍କୁ ନିଉଦୀଘା ଠାରେ ନେଳିଆମାନେ ଅଚେତ୍ ଅବସ୍ଥାରେ ଉଦ୍ଧାର କରି ଦୀଘା ଜେନେରାଲ ହାସପାତାଳରେ ଚିକିତ୍ସା ନିମନ୍ତେ ପୋଲିସ ପଠାଇଛି । ଟ୍ରଲରଟି ମଝି ଦରିଆରେ ବୁଝି ଯାଇଥିବାର ସୂଚନା ମିଳିଛି । ତାଳସାରୀ ସୁବର୍ଣ୍ଣପୁର ଦ୍ୱୀପ ସୁମଦ୍ର ଢ଼େଉରେ ଶତାଧିକ ଝାଉଁ ଜଙ୍ଗଲ ଧରାଶାୟୀ ହୋଇଥିବା ବେଳେ କୂଳରେ ଥିବା ବହୁ ମାଛଧଣା ଡଙ୍ଗା ଜୁଆର ମାଡ଼ରେ ଭାଙ୍ଗିରୁଜି ଯାଇଛି ।