କାବୁଲ ବିମାନବନ୍ଦରରେ ପୁଣି ଆତଙ୍କୀ ଆକ୍ରମଣ ନେଇ ହାଇ ଆଲର୍ଟରେ ଆମେରିକା
ନୂଆଦିଲ୍ଲୀ : ଆଫଗାନିସ୍ତାନ କାବୁଲ ବିମାନବନ୍ଦରରେ ପୁଣି ହୋଇପାରେ ଆତଙ୍କୀ ଆକ୍ରମଣ । ଏନେଇ ଆମେରିକୀୟ ସୈନ୍ୟ ଅଧିକାରୀଙ୍କ ରିପୋର୍ଟ ମିଳିବା ପରେ ହାଇ ଆଲର୍ଟରେ ଆମେରିକା । ଏହାମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆତଙ୍କବାଦୀଙ୍କୁ ଆଉଥରେ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, କାବୁଲ ବିମାନବନ୍ଦରରେ ଆଗାମୀ ୨୪ରୁ ୩୬ ଘଣ୍ଟା ମଧ୍ୟରେ ପୁଣି ଥରେ ଆକ୍ରମଣ ହୋଇପାରେ । ଏଥିପାଇଁ ନ୍ୟାସନାଲ ସିକ୍ୟୁରିଟି ଟିମ ଏବଂ ଫିଲ୍ଡ କମାଣ୍ଡର ସହିତ ବୈଠକ ହୋଇଛି । ଯବାନଙ୍କୁ ହାଇ ଆଲର୍ଟରେ ରଖାଯାଇଛି ।
ତେବେ ଶନିବାର ଆମେରିକୀୟ ସେନା ଆତଙ୍କବାଦୀ ସଂଗଠନ ଆଇଏସଆଇଏସ-କେ ଶିବିରରେ ଆକ୍ରମଣ କରିଥିଲା । କାବୁଲ ବିମାନବନ୍ଦର ହୋଇଥିବା ଆକ୍ରମଣ ପାଇଁ ଏହି ସଂଗଠନ ନିଜକୁ ଦାୟୀ କରିଥିଲା। ବାଇଡେନ ଆହୁରି କହିଛନ୍ତି, ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ଏବେ ଅଟକିବ ନାହିଁ । ଆମେ ଆମେରିକୀୟ ସେନା ଉପରେ ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କୁ ଖୋଜି ଖୋଜି ମାରିବୁ ।ଗୁରୁବାର ଦିନ କାବୁଲ ବିମାନବନ୍ଦରରେ କରିଥିବା ଆକ୍ରମଣ ପାଇଁ ଆଇଏସଆଇଏସ-କେ ନିଜକୁ ଦାୟୀ କରିଥିଲା। ଏହି ଆକ୍ରମଣ ଘଟଣାରେ ୧୩ ଜଣ ଆମେରିକୀୟ ସୈନିକ ସମେତ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ ।