ଯଶୋଧାରା ମିଶ୍ର ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଭୁବନେଶ୍ୱର : ଓଡ଼ିଆ ସାହିତ୍ୟିକା ଯଶୋଧାରା ମିଶ୍ରଙ୍କୁ ୨୦୨୦ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଦିଆଯିବ । ଯଶୋଧାରଙ୍କ ପୁସ୍ତକ ‘ସମୁଦ୍ରକୂଳ ଘର’ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ । ଯଶୋଧାରାଙ୍କୁ ପୁରସ୍କାର ସ୍ୱରୂପ ତାମ୍ର ଫଳକ ସହ ଏକ ଲକ୍ଷ ଟଙ୍କା ଦିଆଯିବ ବୋଲି ସୂଚନା ମିଳିଛି ।
ଆଜି କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ଜାରି ସୂଚନା ଅନୁସାରେ ଶ୍ରୀମତୀ ମିଶ୍ରଙ୍କୁ ଓଡ଼ିଆ ଭାଷାରେ ଏବଂ ଓମଚେରୀ ଏନଏନ୍ ପିଲ୍ଲାଇଙ୍କୁ ମାଲାୟଲମ ଭାଷା ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ମିଳିବ। ଉଭୟଙ୍କୁ ପୁରସ୍କାର ବାବଦରେ ତାମ୍ର ଫଳକ ସହ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ। ୨୦୧୬ମସିହାରେ ପ୍ରକାଶିତ ଶ୍ରୀମତୀ ମିଶ୍ରଙ୍କ ପୁସ୍ତକ ‘ସମୁଦ୍ରକୂଳ ଘର’କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ ନିମନ୍ତେ ୩ଜଣ ବିଚାରକମଣ୍ଡଳୀ ଡଃ ବୀଣାପାଣି ମହାନ୍ତି, ଡଃ ପ୍ରତିଭା ଶତପଥୀ ଓ ରମାକାନ୍ତ ରଥ ସୁପାରିସ୍ କରିଥିଲେ। ଇଂରାଜୀ ଅଧ୍ୟାପିକା ଭାବେ କାର୍ଯ୍ୟ କରିଥିବା ଶ୍ରୀମତୀ ମିଶ୍ର ପୂର୍ବରୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, କଥା ଆୱାର୍ଡ, ଓଡ଼ିଶା ବୁକ ଫେୟାର ଆୱାର୍ଡ, ଗଙ୍ଗାଧର ରଥ ଫାଉଣ୍ଡେସନ ପୁରସ୍କାର ଆଦି ପାଇଛନ୍ତି। ସୂଚନା ଯେ, ୨୦୨୧ ମାର୍ଚ୍ଚ ମାସରେ ୨୦ଟି ଭାଷା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଥିଲେ ମଧ୍ୟ ଓଡ଼ିଆ, ମଲୟାଲମ, ନେପାଳୀ ଓ ରାଜସ୍ଥାନୀ ଭାଷା ପରେ ଘୋଷଣା ହେବ ବୋଲି ଏକାଡେମୀ ପକ୍ଷରୁ କୁହାଯାଇଥିଲା । ତେବେ ଏହି ପୁରସ୍କାର ପ୍ରଦାନ କେବେ ହେବ ତାହା ଜଣାପଡ଼ିନି ।