ବାଘ ଛାଲ ଓ ହାତୀ ଦାନ୍ତ ସ୍ମଗଲିଂ ମାମଲାର ତଦନ୍ତ କରିବ ଇଡି
ଭୁବନେଶ୍ୱର : ରାଜ୍ୟରେ ହାତୀ ଦାନ୍ତ, କଲରାପତରିଆ ବାଘ ଛାଲ ସ୍ମଗଲିଂ ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ୨୦୨୦ରୁ ୨୦୨୧ ଭିତରେ ହୋଇଥିବା ୪ଟି ମାମଲାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗ୍ରହଣ କରିଛି। ୨୦୨୧ ମସିହା ଫେବୃଆରୀ ୧୪ ତାରିଖରେ ନୂଆପଡାରୁ ବାଘଛାଲ ଜବତ ହୋଇଥିଲା । ଏଥିରେ ସୁଧୀର ନାଥ ସିଂଦେଓଙ୍କୁ ଗିରଫ କରିଥିଲା ଏସଟିଏଫ । ୨୦୨୦ ମସିହା ଫେବୃୟାରୀ ୧୨ ତାରିଖରେ ଯାଜପୁରରୁ ବାଘ ଛାଲ ଜବତ ମାମଲାରେ ପୀତବାସ ବାରିକ ଗିରଫ ହୋଇଥିଲା । ୨୫ ନଭେମ୍ବର ୨୦୨୦ରେ ହାତୀ ଦାନ୍ତ ସହ ବରଗଡର ସତ୍ୟବାନ ସାହୁଙ୍କୁ ଗିରଫ କରାଯାଇଥିଲା । ୨୦୨୧ ମସିହା ଜାନୁଆରୀ ୧୪ ତାରିଖରେ ହାତୀ ଦାନ୍ତ ସହ ସମ୍ବଲପୁରରୁ ହୃଷିକେଶ କୁମ୍ଭାରକୁ ଗିରଫ କରାଯାଇଥିଲା । ଏହି ମାମଲାଗୁଡିକର ତଥ୍ୟ ଏସଟିଏଫଠାରୁ ନେଇଛି ଇଡି ।
ଅନ୍ୟପଟେ ଆଜି କଳାହାଣ୍ଡି କେଗାଁ ରେଞ୍ଜ୍ ଅଞ୍ଚଳ ଟିଙ୍ଗିରିପଦରରେ ଜଣେ ବ୍ୟକ୍ତିଙ୍କଠାରୁ ବାଘ ଛାଲ ଓ ନଖ ଜବତ ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ। ଅଭିଯୁକ୍ତ ଜଣକ ମଧ୍ୟପ୍ରଦେଶର ବୋଲି ଜଣାପଡିଛି। ଟିଙ୍ଗିରିପଦରଠାରେ ବାଘଛାଲ ବିକ୍ରି ହେଉଥିବା ଖବର ପାଇ ବନ ବିଭାଗ ଟିମ୍ ରେଡ୍ କରିଥିଲା। ରାଜ୍ୟରେ ବର୍ଷେ ଭିତରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ୧୫ରୁ ଅଧିକ କଲରାପତରିଆ ବାଘ ଚମଡ଼ା, ୯ଟି ହାତୀଦାନ୍ତ, ୪ଟି ଜୀବନ୍ତ ବଜ୍ରକାପ୍ତା, ୧୩ କେଜି ବଜ୍ରକାପ୍ତା କାତି ଜବତ କରିବା ସହ ଏହି ଘଟଣାରେ ୩୨ ଜଣଙ୍କୁ ଗିରଫ କରିଛି।