୩୦ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା !
ଭୁବନେଶ୍ୱର : ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା । ଆସନ୍ତା ୨୭ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହେଵ । ପରବର୍ତ୍ତୀ ଦୁଇଦିନରେ ଏହି ସାଇକ୍ଲୋନିକ ସର୍କୁଲେସନ ଆହୁରି ଘନୀଭୂତ ହେବା ସହ ୩୦ ତାରିଖ ବେଳକୁ ଏକ ଲଘୁଚାପରେ ପରିଣତ ହେବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ପୂର୍ବାନୁମାନ କରିଛି ।
ପୂର୍ବରୁ ଏହି ସଂସ୍ଥା କହିଥିଲା ଯ଼େ ଏହି ଲଘୁଚାପଟି ୨୮ ତାରିଖ ବେଳକୁ ସୃଷ୍ଟି ହେବ । କିନ୍ତୁ ଆଜି ପ୍ରକାଶିତ ରିପୋର୍ଟରେ ସଂସ୍ଥା ନିଜର ମତ ବଦଳାଇ ଏହା ୩୦ ତାରିଖ ସୁଦ୍ଧା ଦାନା ବାନ୍ଧିବ ବୋଲି କହିଛି । ମୌସୁମୀ ପ୍ରବାହ ଦୃଷ୍ଟିରୁ ଅଗଷ୍ଟ ମାସ ଏକ ଗୁରୁତ୍ବପୂର୍ଣ୍ଣ ମାସ ହିସାବରେ ଗଣାଯ଼ାଏ । କାରଣ ଏହି ମାସରେ ଅଧିକ ବର୍ଷା ହୋଇଥାଏ । କିନ୍ତୁ ୨୦୨୧ର ଅଗଷ୍ଟ ମାସ ବିଗତ କିଛି ଦଶନ୍ଧିରେ ଏକ ଶୁଖିଲା ଅଗଷ୍ଟ ମାସରେ ପରିଣତ ହୋଇଛି । ଏହା ସାମଗ୍ରିକ ଭାବେ ବାର୍ଷିକ ବୃଷ୍ଟିପାତକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ଏ ପରିପ୍ରେକ୍ଷୀରେ ମାସ ଶେଷ ବେଳକୁ ଦାନା ବାନ୍ଧୁଥିବା ଲଘୁଚାପ ଏକ ନୂଆ ଆଶା ନେଇ ଆସିଛି । ଏହି ଲଘୁଚାପ ପ୍ରଭାବରୁ ଭଲ ବର୍ଷା ହେଲେ ତାହା ବୃଷ୍ଟିପାତ ନିଅଣ୍ଟକୁ ଭରଣା କରିବାରେ ସହାୟକ ହେବ ।