ଏଣିକି ହ୍ଵାଟସ ଆପରେ ହେବ କରୋନା ଟିକା ପାଇଁ ସ୍ଲଟ ବୁକିଂ
ନୂଆଦିଲ୍ଲୀ : ଏଣିକି ହ୍ଵାଟସ ଆପ ଯୋଗେ ହୋଇପାରିବ କରୋନା ଟିକା ପାଇଁ ସ୍ଲଟ ବୁକିଂ। ସରକାର ଟିକା ନେବାକୁ ଥିବା ଲୋକଙ୍କ ପାଇଁ ବଡ଼ ସୁବିଧାର ଘୋଷଣା କରିଛନ୍ତି। ଏଥିସହିତ ନିକଟସ୍ଥ ଟିକା କେନ୍ଦ୍ର ସମ୍ପର୍କରେ ବି ସୂଚନା ପାଇପାରିବେ। ହ୍ଵାଟସ ଆପର ନୂଆ ଫିଚର ‘MyGov Corona Helpdesk’ ସହିତ କାମ କରିବ। କିଛିଦିନ ପୂର୍ବରୁ ହ୍ଵାଟସ ଆପ ଟିକା ସାର୍ଟିଫିକେଟ ଡାଉନଲୋଡ କରିବାର ସୁବିଧା ମିଳିଥିଲା। ଏଯାବତ ପାଖାପାଖି ୩୨ଲକ୍ଷ ସାର୍ଟିଫିକେଟ ଡାଉନଲୋଡ କରାଯାଇଛି।
ହ୍ଵାଟସ ଆପ ଯୋଗେ କରୋନା ଟିକା ସ୍ଲଟ ବୁକ ପାଇଁ ପ୍ରଥମେ ଆପଣ ଫୋନରେ ‘MyGov Corona Helpdesk’ ଚାଟବୋଟର ନମ୍ବର ୯୧-୯୦୧୩୧୫୧୫୧୫ ସେଭ କରନ୍ତୁ ।ଏହାପରେ ହ୍ଵାଟସଆପରେ ‘MyGov Corona Helpdesk’ କଣ୍ଟାକ୍ଟକୁ ଓପନ କରନ୍ତୁ । ଓପନ କରିବା ପରେ ବୁକ ସ୍ଲଟ ଲେଖି ମେସେଜ କରନ୍ତୁ। ଏହାପରେ ମୋବାଇଲ ନମ୍ବରରେ ଛଅ ଅଙ୍କ ବିଶିଷ୍ଟ ଏକ ଓଟିପି ଆସିବ। ଏହାପରେ ଆପଣଙ୍କୁ ଲୋକେସନ, ତାରିଖ ଓ ଟିକା ନାମର ବିକଳ୍ପ ମିଳିବ। ଏତିକି କରିବା ପରେ ଆପଣଙ୍କ ପିନ କୋର୍ଡକୁ ଆଧାର କରି ନିକଟରେ ଥିବା ଟିକା କେନ୍ଦ୍ରରେ କରୋନା ଟିକା ପାଇଁ ସ୍ଲଟ ବୁକ କରିଦିଆଯିବ।