ଗ୍ରାମାଂଚଳ ଓ ଉପାନ୍ତ ଅଂଚଳରେ ପ୍ରତିଭା ଭରପୂର ହୋଇ ରହିଛନ୍ତି : ପ୍ରଧାନମନ୍ତ୍ରୀ
- ଭାରତୀୟ ପାରା-ଆଥଲେଟ୍ ଦଳ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
- ଖେଲୋ ଇଣ୍ଡିଆ କେନ୍ଦ୍ରଗୁଡ଼ିକର ସଂଖ୍ୟା ୧୦୦୦ କୁ ବୃଦ୍ଧି କରାଯିବ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ପାରା ଅଲିମ୍ପିକ କ୍ରୀଡ଼ାରେ ଅଂଶଗ୍ରହଣ କରିବାକୁ ଥିବା ପାରା-ଆଥଲେଟ୍, ସେମାନଙ୍କର ପରିବାର ସଦସ୍ୟ, ଅଭିଭାବକ, ପାରା-ଆଥଲେଟମାନଙ୍କ ପ୍ରଶିକ୍ଷକମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା; ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଉପସ୍ଥିତ ଥିଲେ । ଏହି ଅବସରରେ ଚଳିତ ଥର ପାରା ଅଲିମ୍ପିକ କ୍ରୀଡ଼ାରେ ଭାରତ ପକ୍ଷରୁ ସର୍ବାଧିକ ସଂଖ୍ୟକ କ୍ରୀଡ଼ାବିତ ଅଂଶଗ୍ରହଣ କରୁଥିବାରୁ ସେମାନଙ୍କର କଠିନ ପରିଶ୍ରମ ପାଇଁ ପ୍ରଧାନମନ୍ତ୍ରୀ ପାରା-ଆଥଲେଟମାନଙ୍କୁ ପ୍ରଶଂସା କରିଥିଲେ । ଟୋକିଓ ୨୦୨୦ ପାରା ଅଲିମ୍ପିକ କ୍ରୀଡ଼ାରେ ଭାରତୀୟ ଦଳ ଇତିହାସ ରଚିବାରେ ସଫଳ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ନୂତନ ଭାରତ ନିଜର କ୍ରୀଡ଼ାବିତଙ୍କ ଉପରେ ପଦକ ହାସଲ କରିବାକୁ ଚାପ ପକାଏ ନାହିଁ, ବରଂ ସେମାନେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରନ୍ତୁ ବୋଲି ଆଶା କରିଥାଏ । ସଦ୍ୟ ସମାପ୍ତ ଅଲିମ୍ପିକ୍ସର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଖେଳାଳୀମାନେ ବିଜୟ ହାସଲ କରନ୍ତୁ କିମ୍ବା ସୁଯୋଗର ହାତଛଡ଼ା କରନ୍ତୁ ପଛେ ଦେଶ ସବୁବେଳେ ଦୃଢ଼ ଭାବେ ଖେଳାଳୀଙ୍କ ସହିତ ଛିଡ଼ା ହୋଇ ରହିଛି । ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ସତ୍ୱେ ସେଥିରେ ବିଜୟ ହାସଲ କରି ଆଗକୁ ବଢ଼ିବା ଲାଗି ପ୍ରଧାନମନ୍ତ୍ରୀ ପାରା ଆଥଲେଟ ମାନଙ୍କୁ ପ୍ରଶଂସା କରିଥିଲେ । ଆବଶ୍ୟକ ସୁଯୋଗର ଅଭାବ ଏବଂ ନୂଆ ସ୍ଥାନ, ନୂଆ ଲୋକ ଏବଂ ଅନ୍ତର୍ଜାତୀୟ ମଂଚରେ ଦେଖିବାକୁ ମିଳୁଥିବା ଚାପକୁ ଦୃଷ୍ଟିରେ ରଖି ଏହି ଦଳ ପାଇଁ କ୍ରୀଡ଼ା ମନସ୍ତତ୍ୱ ଉପରେ ତିନୋଟି ଅଧିବେଶନରେ କର୍ମଶାଳା ଓ ସେମିନାର ଆୟୋଜନ କରାଯାଇଥିଲା ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ଗ୍ରାମାଂଚଳ ଓ ଉପାନ୍ତ ଅଂଚଳରେ ପ୍ରତିଭା ଭରପୂର ହୋଇ ରହିଛନ୍ତି ଏବଂ ପାରା ଆଥଲେଟମାନେ ହେଉଛନ୍ତି ଏହାର ଏକ ଜୀବନ୍ତ ଉଦାହରଣ । ଏହି ସବୁ ଅଂଚଳରେ ପଦକ ଜିତିବାର ସାମର୍ଥ୍ୟ ଥିବା ବହୁସଂଖ୍ୟକ କ୍ରୀଡ଼ାବିତ୍ ରହିଛନ୍ତି । ଦେଶ ଆଜି ଏପରି ଖେଳାଳୀଙ୍କ ନିକଟରେ ପହଂଚିବା ଲାଗି ଚାହୁଁଛି, ଗ୍ରାମୀଣ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ସ୍ଥାନୀୟ ପ୍ରତିଭାମାନଙ୍କୁ ଚିହ୍ନଟ କରିବା ଲାଗି ଦେଶରେ ୩୬୦ଟି ଖେଲୋ ଇଣ୍ଡିଆ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଖୁବଶୀଘ୍ର ଏହିସବୁ କେନ୍ଦ୍ରଗୁଡ଼ିକର ସଂଖ୍ୟା ୧୦୦୦କୁ ବୃଦ୍ଧି କରାଯିବ । କ୍ରୀଡ଼ାବିତମାନଙ୍କ ପାଇଁ ଆବଶ୍ୟକ ସରଞ୍ଜାମ, ପଡ଼ିଆ ଏବଂ ଅନ୍ୟ ସମ୍ବଳ ତଥା ଭିତିଭୂମି ଯୋଗାଇ ଦିଆଯାଉଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଶୀର୍ଷରେ ପହଂଚିବା ଲାଗି ଆମେ ପୁରୁଣା ପିଢ଼ିଙ୍କ ମନରୁ ଭୟ ଦୂର କରି ସେମାନଙ୍କ ହୃଦୟରେ ସ୍ଥାନ ପାଇଛୁ । ପୂର୍ବରୁ କେବଳ ଗୋଟିଏ କିମ୍ବା ଦୁଇଟି ଖେଳକୁ ଛାଡ଼ି ଦେଲେ ଅନ୍ୟ ଖେଳ ପ୍ରତି ଆଗ୍ରହୀ ଥିବା ପିଲାଙ୍କ ପାଇଁ କୌଣସି କ୍ୟାରିଅର ସୁଯୋଗ ନାହିଁ ବୋଲି ପରିବାର ଲୋକଙ୍କ ମନରେ ରହିଥିବା ଭୟ ଓ ଆଶଙ୍କା ଏବେ ଦୂର ହୋଇପାରିଛି । ଆମକୁ ଦେଶରେ କ୍ରୀଡ଼ା ସଂସ୍କୃତି ବିକଶିତ କରିବାକୁ ହେଲେ ମାର୍ଗ ଓ ବ୍ୟବସ୍ଥାରେ କ୍ରମାଗତ ସୁଧାର ଜାରି ରଖିବାକୁ ପଡ଼ିବ । ଅନ୍ତର୍ଜାତୀୟ କ୍ରୀଡ଼ାର ପ୍ରୋତ୍ସାହନ ସହିତ ପାରମ୍ପରିକ କ୍ରୀଡ଼ାକୁ ନୂଆ ପରିଚୟ ମିଳିପାରିଛି ବୋଲି ସେ ସୂଚନା ଦେଇଥିଲେ । ମଣିପୁରର ଇମ୍ଫାଲରେ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ନୂତନ ଜାତୀୟ ଶିକ୍ଷା ନୀତିରେ କ୍ରୀଡ଼ାକୁ ଉପଯୁକ୍ତ ମାନ୍ୟତା ଏବଂ ଖେଲୋ ଇଣ୍ଡିଆ ଭଳି ଅଭିଯାନ ଏ ଦିଗରେ ପ୍ରମୁଖ ପଦକ୍ଷେପ ବୋଲି ସେ ସୂଚନା ଦେଇଥିଲେ । ଭିନ୍ନ ଭିନ୍ନ କ୍ରୀଡ଼ା କ୍ଷେତ୍ରର ପ୍ରତିନିଧିତ୍ୱ କରୁଥିଲେ ହେଁ ସେମାନେ ଏକ ଭାରତ ଶ୍ରେଷ୍ଠ ଭାରତ ଭାବନାକୁ ସୁଦୃଢ଼ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତମାନଙ୍କୁ କହିଥିଲେ । “ଅଂଚଳ, ରାଜ୍ୟ, ଭାଷାଗତ ଭିନ୍ନତା ସତ୍ୱେ, ସର୍ବୋପରି ଆପଣମାନେ ହେଉଛନ୍ତି ‘ଟିମ ଇଣ୍ଡିଆ’ । ଏହି ଭାବନା ଆମ ସମାଜର ପ୍ରତ୍ୟେକ ଅଂଶ ଏବଂ ପ୍ରତ୍ୟେକ ସ୍ତରରେ ରହିବା ଉଚିତ୍”, ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ । ୯ଟି କ୍ରୀଡ଼ା ବିଭାଗରେ ୫୪ ଜଣ ପାରା ଆଥଲେଟ୍ ଚଳିତ ଥର ରାଷ୍ଟ୍ରକୁ ପ୍ରତିନିଧିତ୍ୱ କରିବା ଲକ୍ଷ୍ୟ ନେଇ ଟୋକିଓ ଗସ୍ତରେ ଯାଉଛନ୍ତି । ଏହା ହେଉଛି ପାରା ଅଲିମ୍ପିକ କ୍ରୀଡ଼ାରେ ସବୁଠୁ ଅଧିକ ଖେଳାଳୀ ଥିବା ଦଳ ।