ଅଲିମ୍ପିକରେ ପରିଶ୍ରମର ଫଳ ମିଳିଛି କିନ୍ତୁ ପ୍ରଧାନମନ୍ତ୍ରୀ ଫୋନ କରିବା ବଡ କଥା : ନିରଜ
ନୂଆଦିଲ୍ଲୀ : ଅଲିମ୍ପିକ ୨୦୨୦ରେ ସ୍ବର୍ଣ୍ଣ ପଦକ ଜିତିଥିବା ନିରଜ ଚୋପ୍ରା ସ୍ବଦେଶ ଫେରି ଆସିଛନ୍ତି। ତାଙ୍କ ସ୍ବଦେଶ ଫେରିବାପରେ ସମସ୍ତେ ବହୁତ ଖୁସି ଅଛନ୍ତି। ଚାରିଆଡୁ ତାଙ୍କ ପାଖକୁ ଅଭିନନ୍ଦନର ସୁଅ ଛୁଟୁଛି। ନିରଜ ନିଜ ପଦକ ଦେଶକୁ ସମର୍ପିତ କରିଛନ୍ତି। ନିରଜ କହିଛନ୍ତି ଅଲିମ୍ପିକରେ ସ୍ବର୍ଣ୍ଣ ପଦକ ଜିତିବା ତାଙ୍କ ପରିଶ୍ରମର ଫଳ। ସମସ୍ତଙ୍କ ସହଯୋଗରେ ସେ ଏଠାରେ ପହଞ୍ଚିଛନ୍ତି।
ନିରଜ କହିଛନ୍ତି ଯେ, ମୁଁ ଭାରତୀୟ ସେନା ନିଜର ସ୍ପୋନସର ଜେଏସଡବ୍ଲୁକୁ ଧନ୍ୟବାଦ ଜଣାଉଛି। ତାଛଡା ଫେଡେରେସନକୁ ବହୁତ ବହୁତ ଧନ୍ୟବାଦ ଯିଏ କରୋନା ସମୟରେ ବି ଟ୍ରେନିଂ ଶିବିର ଜାରି ରଖିଥିଲେ। ଶିବିରର ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ଧନ୍ୟବାଦ ଯେଉଁମାନେ ଆମକୁ କିଛି ଅସୁବିଧା ହେବାକୁ ଦେଇନଥିଲେ। ପଦକ ଜିତିବା ପରେ ପ୍ରଧାନ ନରେନ୍ଦ୍ର ମୋଦି ନିରଜଙ୍କୁ ଫୋନ କରି ତାଙ୍କ ସହ କଥା ହୋଇଥିଲେ। ଏନେଇ ନିରଜ କହିଛନ୍ତି, ‘ଆପଣ ଅଲିମ୍ପିକରେ ଖେଳୁଛନ୍ତି ଏବଂ ଦେଶର ପ୍ରଧାନମନ୍ତ୍ରୀ ଆପଣଙ୍କୁ ଫୋନ କରି କଥା ହେବା ବହୁତ ବଡ କଥା। ସେ କେବଳ ମୋତେ ନୁହେଁ, ପ୍ରାୟ ସମସ୍ତ ଖେଳାଳିଙ୍କୁ ଫୋନ କରି କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଖେଳାଳିଙ୍କୁ ସମର୍ଥନ କରିବା ବହୁତ ବଡ କଥା।’ ନିରଜ କହିଛନ୍ତି ଯେ ଏଥର ଏତେ ଭଲ ପ୍ରଦର୍ଶନ ପଛର ବଡ କାରଣ ହେଲା ସବୁ ଖେଳାଳି ପଦକ ଜିତିବାକୁ ମନସ୍ଥ କରି ଯାଇଥିଲେ। ଖେଳରେ କେବଳ ଶାରୀରିକ ପ୍ରଦର୍ଶନ ନୁହେଁ ବରଂ ମାନସିକ ପ୍ରଦର୍ଶନ ବି ଜରୁରୀ। ସେଥିପାଇଁ ଏଥର ଆମେ ଭଲ ପ୍ରଦର୍ଶନ କରିପାରିଛୁ। ମଙ୍ଗଳବାର ଦିନ ବିଜେପି ସଂସଦୀୟ ଦଳ ବୈଠକରେ ମୋଦି ଅଲିମ୍ପିକରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ସମ୍ମାନ ଜଣାଇ ଛିଡା ହୋଇ ତାଳି ମାରିଥିଲେ। ଏହାସହ ମୋଦି ସମସ୍ତ ସାଂସଦଙ୍କୁ ଖେଳ ଓ ଖେଳାଳିଙ୍କ ଉପରେ ବିଶେଷ ଦୃଷ୍ଟି ଦେବାକୁ କହିଛନ୍ତି। ସେ କହିଛନ୍ତି ଯେ ଏସବୁ ବର୍ଷେର ପରିଶ୍ରମ ନୁହେଁ, ଏହା ଅନେକ ବର୍ଷର ପରିଶ୍ରମର ଫଳ।