ସୁନ୍ଦରଗଡରେ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ
ସୁନ୍ଦରଗଡ଼ : ସୁନ୍ଦରଗଡ ଜିଲାରେ ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା ପାଇଁ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସୁନ୍ଦରଗଡରେ ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା ପାଇଁ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦକୁ ଵିଧାୟିକା କୁସୁମ ଟେଟେଙ୍କ ନେତୃତ୍ଵରେ ଥିବା ସୁନ୍ଦରଗଡ଼ ବିକାଶ ଫୋରମ, ବଣିକ ସଂଘ ଓ ଅନ୍ୟ ସଂଗଠନ ସମର୍ଥନ କରିଛନ୍ତି। ଶନିବାର ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି । ଏନେଇ ରାସ୍ତା ଘାଟ ଶୂନ ଶାନ ହେବା ସହ ଦୋକାନ ବଜାର ବନ୍ଦ ରହିଛି । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ଛକ ଛକରେ ପୋଲିସ ଜଗି ରହିବ ସହ କଡ୍ଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ସୁନ୍ଦରଗଡ଼ରେ ନୂଆ କରି ତିଆରି ହୋଇଥିବା ଏନଟିପିସି ମେଡିକାଲରେ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ ରାଜ୍ୟ ସରକାର। କେନ୍ଦ୍ରର ବୈଷୟିକ ଟିମ୍ ସୁନ୍ଦରଗଡ଼ର ଏନଟିପିସି ମେଡିକାଲ କଲେଜ ବୁଲି ଭିତ୍ତିଭୂମି ତଦାରଖ କରିଥିଲେ। ଏହାପରେ ଏମ୍ସ ପ୍ରତିଷ୍ଠା ନେଇ ସୁନ୍ଦରଗଡ଼ ତଥା ପଶ୍ଚିମ ଓଡ଼ିଶାଵାସୀ ଆଶାବାଦୀ ହୋଇ ପଡ଼ିଥିଲେ। ହେଲେ ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ରାଜ୍ୟ ସରକାର ନାମଲେଖା ବିଜ୍ଞପ୍ତି ଜାରି କରାଯିବା ପରେ ଏଠାରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ହେବନାହିଁ ବୋଲି ସନ୍ଦେହ ସୃଷ୍ଟି ହୋଇଛି। ଯାହାକୁ ନେଇ ସମଗ୍ର ପଶ୍ଚିମ ଓଡ଼ିଶାରେ ଅସନ୍ତୋଷ ବଢିଛି। ଲୋକଙ୍କ ଦାବିକୁ ସମର୍ଥନ ଜଣାଇ କଂଗ୍ରେସ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ସହର ସମ୍ପୂର୍ଣ୍ଣ ଵନ୍ଦ ରହିଛି।