ଆସନ୍ତାକାଲି ଭାରତର ୫ଟି ସ୍ଥାନରୁ ୟୁଏଇକୁ ଆରମ୍ଭ ହେବ ବିମାନ ସେବା
ଦୁବାଇ : ଆସନ୍ତାକାଲି ଠାରୁ ଭାରତର କେତେକ ସହରରୁ ୟୁନାଇଟେଡ଼ ଆରବ ଏମିରେଟ୍ସ (ୟୁଏଇ)କୁ ଆରମ୍ଭ ହେବ ବିମାନ ସେବା। ଏନେଇ ଏଥିହାଡ଼ ଏୟାରୱେଜ ନିଜ ୱେବସାଇଟରେ କହିଛି ଯେ ଅଗଷ୍ଟ ୭ ରୁ ୯ ତାରିଖ ମଧ୍ୟରେ ଭାରତର ଚେନ୍ନାଇ, କୋଚି, ବେଙ୍ଗାଲୁରୁ, ତ୍ରିଭାନ୍ଦ୍ରମ ଏବଂ ନୂଆଦିଲ୍ଲୀରୁ ବିମାନ ସେବା ଆରମ୍ଭ କରିବ। ସେହିପରି ଅଗଷ୍ଟ ୧୦ରୁ ବିମାନ ସେବା ୟୁଏଇକୁ ଯାତ୍ରା କରିବା ପାଇଁ ଆଉ ତିନୋଟି ଭାରତୀୟ ସହରରୁ ବିମାନ ସେବା ଆରମ୍ଭ କରିବ। ଏହା ସହିତ ଟ୍ରାନଜିଟ ଯାତ୍ରୀଙ୍କ ପାଇଁ ପାକିସ୍ତାନର ୩ ସହର, ବାଂଲାଦେଶ ଏବଂ ଶ୍ରୀଲଙ୍କାରୁ ମଧ୍ୟ ବିମାନ ସେବା ଆରମ୍ଭ ହେବ। ଅଗଷ୍ଟ ୧୦ ରୁ ଭାରତରେ ଅହମ୍ମଦାବାଦ (କେବଳ ଟ୍ରାନଜିଟ ପାଇଁ), ହାଇଦ୍ରାବାଦ ଏବଂ ମୁମ୍ବାଇରୁ ବିମାନ ସେବା ଆରମ୍ଭ ହେବ। ପାକିସ୍ତାନର କରାଚି, ଲାହୋର ଏବଂ ଇସଲାମାବାଦ, ବାଂଲାଦେଶରରେ ଢାକା ଏବଂ ଶ୍ରୀଲଙ୍କାର କଲମ୍ବୋରୁ ମଧ୍ୟ ବିମାନ ଚଳାଚଳ କରାଯିବ।
ମାତ୍ର ଯାତ୍ରା ପାଇଁ ବିଭିନ୍ନ ପ୍ରକାରର ସର୍ତ୍ତ ରହିଛି । ସମସ୍ତ ଯାତ୍ରୀଙ୍କୁ ଆବୁଧାବିରେ ପହଞ୍ଚିବା ପରେ ୧୦ ଦିନ ପାଇଁ କ୍ଵାରେଣ୍ଟାଇନରେ ରହିବାକୁ ପଡିବ। ଏହି ସମୟରେ ଯାତ୍ରୀମାନଙ୍କ ପାଇଁ ଟ୍ରାକିଂ ରିଷ୍ଟ ବ୍ୟାଣ୍ଡ ପିନ୍ଧିବା ମଧ୍ୟ ବାଧ୍ୟତାମୂଳକ। ସେହିପର ଚତୁର୍ଥ ଏବଂ ଅଷ୍ଟମ ଦିନରେ ସମସ୍ତ ଯାତ୍ରୀଙ୍କୁ ପିସିଆର ପରୀକ୍ଷା ମଧ୍ୟ କରିବାକୁ ପଡିବ। ଯାତ୍ରା ପାଇଁ ଫେଡେରାଲ୍ ଅଥରିଟି ଅଫ୍ ଆଇଡେଣ୍ଟିଟି ଆଣ୍ଡ ସିଟିଜେନ୍ସିପ୍ (ଆଇସିଏ) ରୁ ଅନୁମୋଦନ ନେବା ବାଧ୍ୟତାମୂଳକ। ଯାତ୍ରୀଙ୍କ ପାଖରେ ଉଡ଼ାଣର ୪୮ ଘଣ୍ଟା ପୂର୍ବରୁ ଏକ ନେଗେଟିଭ ପିସିଆର ଟେଷ୍ଟ ରିପୋର୍ଟ ଥିବା ଆବଶ୍ୟକ ବୋଲି ଜଣାପଡିଛି।