ଟୋକିଓ ଅଲିମ୍ପିକ୍ସ : ପଦକ ମ୍ୟାଚ୍ରେ ହାରିଲେ ଦୀପକ ପୁନିଆ
ଟୋକିଓ: ଭାରତୀୟ ରେସଲର୍ ଦୀପକ ପୁନିଆ ଟୋକିଓ ଅଲିମ୍ପିକ୍ସର ପୁରୁଷ ଫ୍ରିଷ୍ଟାଇଲ୍ ୮୬ କେଜି ଓଜନ ବର୍ଗର ପଦକ ମୁକାବିଲାରେ ହାରିଯାଇଛନ୍ତି । ସେମିଫାଇନାଲରେ ହାରିଥିବା ଦୀପକ ବ୍ରୋଞ୍ଜ ପଦକ ପାଇଁ ସାନ୍ ମାରିନୋର ମାଇଲ୍ସ ଅମିନଙ୍କୁ ଭେଟିଥିଲେ । କିନ୍ତୁ ଏହି ମୁକାବିଲାରେ ଦୀପକ ୨-୪ ପଏଂଟରେ ପରାସ୍ତ ହୋଇଛନ୍ତି ।
ଦୀପକ ବୁଧବାର ଖେଳାଯାଇଥିବା ସେମିଫାଇନାଲରେ ଆମେରିକାର ଡେଭିଡ୍ ଟେଲରଙ୍କ ନିକଟରୁ ୦-୧୦ ପଏଂଟରେ ପରାସ୍ତ ହୋଇଥିଲେ । କିନ୍ତୁ ଦୀପକଙ୍କ ପାଖରେ ବ୍ରୋଞ୍ଜ ପଦକ ଜିତିବାର ଭଲ ସୁଯୋଗ ଥିଲା । ହେଲେ ଏଥିରେ ହାରିବା ସହ ତାଙ୍କର ବ୍ରୋଞ୍ଜ ପଦକ ଜିତିବାର ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି । ବ୍ରୋଞ୍ଜ ପଦକ ମୁକାବିଲାର ପ୍ରଥମ ପିରିୟଡରେ ଦୀପକ ପ୍ରାରମ୍ଭିକ ଦୁଇ ପଏଂଟ ହାସଲ କରିନେଇଥିଲେ, କିନ୍ତୁ ଅମିନ୍ ମଧ୍ୟ ୧ ପଏଂଟ ହାସଲ କରିଥିଲେ । ଏହା ସହ ଦୀପକ ପ୍ରଥମ ପିରିୟଡରେ ଅମୀନଙ୍କ ଉପରେ ଭାରୀ ପଡ଼ିଥିଲେ ଏବଂ ୨-୧ର ଲିଡ୍ ହାସଲ କରିଥିଲେ । ଦ୍ୱିତୀୟ ପିରିୟଡରେ ଅମୀନ କମବ୍ୟାକ୍ କରି ଦୁଇ ପଏଂଟ ହାସଲ କରି ୩-୨ରେ ଆଗୁଆ ହୋଇଥିଲେ । ଏହା ପରେ ସେ ପୁଣିଥରେ ଦୀପକଙ୍କୁ ଚିତ କରି ୧ ପଏଂଟ ସଂଗ୍ରହ କରିଥିଲେ ଏବଂ ୪-୨ରର ଅଗ୍ରଣୀ ସହ ମୁକାବିଲାକୁ ଜିତି ବ୍ରୋଞ୍ଜ ପଦକ ନିଜ ନାଁରେ କରିଥିଲେ ।