ପର୍ଣ୍ଣୋଗ୍ରାଫିକ୍ ଫିଲ୍ମ ମାମଲା : ରାଜ କୁନ୍ଦ୍ରାଙ୍କ ଦୁଇଟି ଆପରୁ ୫୧ଟି ଅଶ୍ଲୀଳ ଫିଲ୍ମ ଜବତ
ମୁମ୍ବାଇ : ପର୍ଣ୍ଣୋଗ୍ରାଫିକ୍ ଫିଲ୍ମ ଓ ଭିଡିଓ ପ୍ରସ୍ତୁତ କରି ବିଭିନ୍ନ ମୋବାଇଲ୍ ଆପରେ ପ୍ରସାରଣ ଅଭିଯୋଗରେ ଛନ୍ଦି ହୋଇଯାଇଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା। ଏବେ ଜେଲରେ ଦିନ କାଟୁଛନ୍ତି ରାଜ କୁନ୍ଦ୍ରା। ଦିନ ଯେତେ ଗଡ଼ୁଛି ରାଜ କୁନ୍ଦ୍ରାଙ୍କ ଗୁମର ସେତେ ଫିଟୁଛି। ରାଜ କୁନ୍ଦ୍ରାଙ୍କ ବିରୋଧରେ ଲାଗିଥିବା ଅଭିଯୋଗ କମିବା ବଦଳରେ ବଢ଼ିବାରେ ଲାଗିଛି।
କୁନ୍ଦ୍ରାଙ୍କୁ ପୋଲିସ ଗିରଫ କରିବା ପରେ ତାଙ୍କର ବିଭିନ୍ନ କମ୍ପାନୀ, ବାସଭବନ ଏବଂ ଅଫିସରେ ଚଢ଼ଉ ଜାରି ରହିଛି। ସରକାରୀ ଓକିଲ ଅରୁଣା ପଇ ବମ୍ବେ ହାଇକୋର୍ଟକୁ କହିଛନ୍ତି ଯେ, ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ରାଜ୍ କୁନ୍ଦ୍ରାଙ୍କ ଦୁଇଟି ଆପରୁ ୫୧ଟି ଅଶ୍ଲୀଳ ଫିଲ୍ମ ଜବତ କରିଛି। ହଟସଟ ଆପରୁ ୫୧ଟି ଅଶ୍ଳୀଳ ଓ ଆପତ୍ତିଜନକ ଫିଲ୍ମ ଭିଡିଓ ଜବତ ହୋଇଛି। ଏହାସହ ସେ ଆହୁରି କହିଛନ୍ତି କି ଏହି ଫିଲ୍ମଗୁଡିକର କନେକ୍ସନ ସିଧା ରାଜ କୁନ୍ଦ୍ରାଙ୍କ ସହ ରହିଛି। ରାଜ ଓ ରାୟନ୍ ଦୁହେଁ ମିଶି ଏହି ଘଟଣାର ସମସ୍ତ ହ୍ୱାଟ୍ସଆପ୍ ଚାଟ୍ ଡିଲିଟ୍ କରିଛନ୍ତି। ସମସ୍ତ ପ୍ରମାଣପତ୍ର ମଧ୍ୟ ନଷ୍ଟ କରୁଥିଲେ। ଏଥିପାଇଁ ପୁଲିସ ଦୁଇ ଜଣଙ୍କୁ ଗିରଫ୍ କରିଛି। ଭିଡିଓ କନଫରେନ୍ସିଂ ଜରିଆରେ ନ୍ୟାୟମୂର୍ତ୍ତି ଏ.ଏସ୍ ଗଡକରୀ କହିଛନ୍ତି ରାଜ ଓ ରାୟନଙ୍କ ବିରୋଧରେ ଅଶ୍ଳୀଳ କମେଣ୍ଟ ଷ୍ଟ୍ରିମିଂ କରିବାର ଗମ୍ଭୀର ଆରୋପ ଲାଗିଛି।