୩ୟ ଟି-୨୦ ଜିତି ସିରିଜ୍ ହାତେଇଲା ଶ୍ରୀଲଙ୍କା
- ୧୩ ବର୍ଷ ପରେ ଭାରତ ବିପକ୍ଷରେ ଦ୍ଵିପାକ୍ଷିକ ସିରିଜ କବଜା କଲା ଶ୍ରୀଲଙ୍କା
କଲୋମ୍ବୋ : କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଅନ୍ତିମ ତଥା ନିର୍ଣ୍ଣାୟକ ମୁକାବିଲାରେ ଶ୍ରୀଲଙ୍କା ଭାରତକୁ ୭ ଓ୍ଵିକେଟ୍ରେ ପରାସ୍ତ କରିଛି । ଏଥିସହ ଘରୋଇ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୨-୧ରେ ଜିତିବାରେ ସଫଳ ହୋଇଛି । ଏହା ପୂର୍ବରୁ ଭାରତୀୟ ଦଳ ଦିନିକିଆ ସିରିଜ୍ରେ ୨-୧ରେ ବିଜୟୀ ହୋଇଥିଲା। ବ୍ୟାଟସମ୍ୟାନଙ୍କ ଦୟନୀୟ ପ୍ରଦର୍ଶନ କାରଣରୁ ଭାରତ ୨୦ ଓଭରରେ ୮ ଓ୍ଵିକେଟ୍ ହରାଇ ୮୧ ରନ କରିଥିଲା। ଜବାବରେ ଶ୍ରୀଲଙ୍କା ୧୪.୩ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଧନଞ୍ଜୟ ଡି ସିଲଭା ୨୩ ରନ ଓ ଓ୍ଵାନିନ୍ଦୁ ହସରଙ୍ଗା ୧୪ ରନର ଅପରାଜିତ ଇନିଂସ ଖେଳି ଦଳକୁ ବିଜୟୀ କରାଇଥିଲେ। ପରାଜୟ ସହ ଭାରତୀୟ ଯୁବ ବାହିନୀ ଶ୍ରୀଲଙ୍କା ଗସ୍ତ ସମାପ୍ତ କରିଛି। ଓ୍ଵାନିନ୍ଦୁ ହସରଙ୍ଗା ପ୍ଲେୟାର ଅଫ ଦ ମ୍ୟାଚ୍ ଏବଂ ପ୍ଲେୟାର ଅଫ ଦ ସିରିଜ୍ ବିବେଚିତ ହୋଇଛନ୍ତି। କ୍ରମାଗତ ଅନେକ ସିରିଜ୍ ହାରିବା ପରେ ଦୟନୀୟ ଆର୍ଥିକ ସ୍ଥିତି ଦେଇ ଗତି କରୁଥିବା ଶ୍ରୀଲଙ୍କା ମୁହଁରେ ଶେଷରେ ହସ ଫୁଟିଲା। ଭାରତର ଯୁବ ଦଳକୁ ହରାଇ ଜିତିଲା ଟି-୨୦ ସିରିଜ୍। ପ୍ରଥମ ଥର ଶ୍ରୀଲଙ୍କା ଭାରତ ବିରୋଧରେ ଟି-୨୦ ସିରିଜ୍ ଜିତିବାରେ ସଫଳ ହୋଇଛି। କେବଳ ଏତିକି ନୁହେଁ ୨୦୧୯ ପରେ ଦଳ ଘରୋଇ ମାଟିରେ ଦ୍ଵିପାକ୍ଷିକ ସିରିଜ୍ ଜିତିଛି। ଶେଷ ଥର ଶ୍ରୀଲଙ୍କା ନିଜ ମାଟିରେ ପାକିସ୍ତାନ ବିପକ୍ଷରେ ୩-୦ରେ ବିଜୟୀ ହୋଇଥିଲା। ସବୁଠୁ ବଡ କଥା ଶ୍ରୀଲଙ୍କା ଦୀର୍ଘ ୧୩ ବର୍ଷ ପରେ ଭାରତକୁ ଦ୍ଵିପାକ୍ଷିକ ସିରିଜ୍ ହରାଇବାରେ ସକ୍ଷମ ହୋଇଛି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରମୁଖ ଖେଳାଳିଙ୍କ ବିନା ପଡିଆକୁ ଓହ୍ଲାଇଥିଲା। ଦଳ ଗତ ମ୍ୟାଚ୍ର ଚାପରୁ ମୁକୁଳି ପାରିନଥିଲେ। ଆରମ୍ଭରୁ ଦଳ ଓ୍ଵିକେଟ୍ ହରାଇ ଚାଲିଥିଲା। ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଭାରତ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଅଧିନାୟକ ଶିଖର ଧାଓ୍ଵନ ପ୍ରଥମ ଓଭରରେ ହିଁ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ଏହା ପରେ ଜଣେ ପରେ ଜଣେ ଖେଳାଳି ହାଜିରା ପକାଇ ପାଭିଲିୟନ ଫେରିଥିଲେ। ଦଳର ବ୍ୟାଟିଂ ଏତେ ଦୟନୀୟ ଥିଲା ଯେ, କେବଳ ୩ ଜଣ ଖେଳାଳିଙ୍କୁ ବାଦ୍ ଦେଲେ ବାକି ୮ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଋତୁରାଜ ଗାଏକଓ୍ଵାର୍ଡ(୧୪), ଭୁବନେଶ୍ଵର କୁମାର(୧୬) ଓ ରନ କରିଥିଲେ। ଶିଖର ଧାଓ୍ଵନ(୦), ଦେବଦତ୍ତ ପାଡିକଲ(୯), ସଞ୍ଜୁ ସାମସନ(୦) ଓ ନୀତୀଶ ରାଣା(୬) ବିଫଳ ହୋଇ ଦଳକୁ ନିରାଶ କରିଥିଲେ। ଏଥିସହ ମିଳିଥିବା ସୁବର୍ଣ୍ଣ ସୁଯୋଗର ମଧ୍ୟ ଫାଇଦା ଉଠାଇ ପାରିନ ନଥିଲେ ଏହି ସବୁ ବ୍ୟାଟସମ୍ୟାନ। କୁଲଦୀପ ଯାଦବଙ୍କୁ ବାଦ୍ ଦେଲେ ଆଉ କୌଣସି ବ୍ୟାଟସମ୍ୟାନ ଶ୍ରୀଲଙ୍କା ବୋଲରଙ୍କ ମୁକାବିଲା କରି ପାରିନଥିଲେ। ଶେଷରେ ଭାରତ ୨୦ ଓଭରରେ ୮ ଓ୍ଵିକେଟ୍ ହରାଇ ୮୧ ରନ କରିଛି। କୁଲଦୀପ ଯାଦବ ୨୩ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଚେତନ ସକାରିଆ ୫ ରନରେ ଅପରାଜିତ ଥିଲେ।
୮୨ ରନର ଛୋଟ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଶ୍ରୀଲଙ୍କା ମଧ୍ୟ ସ୍ପିନ ଟ୍ରାକରେ କିଛିଟା ହଟବଡେଇ ଥିଲା। ଦଳ ଭାରତୀୟ ସ୍ପିନର ରାହୁଲ ଚହରଙ୍କୁ ଖେଳିବାରେ ମୁସ୍କିଲ ହୋଇଥିଲା। ୨୩ ରନ ସ୍କୋରରେ ରାହୁଲ ଚହର ଅଭିଷ୍କା ଫର୍ଣ୍ଣାଡୋ(୧୨)ଙ୍କୁ ଆଉଟ୍ କରିଥିଲେ। ପୁଣି ମିନୋଦ ଭାନୁକା(୧୮)ଙ୍କୁ ପାଭିଲିୟନ ପଠାଇ ରାହୁଲ ଭାରତୀୟ ଶିବିରରେ କିଛିଟା ଆଶା ସଞ୍ଚାର କରିଥିଲେ। ୫୬ ରନ ସ୍କୋରରେ ଧନଞ୍ଜୟ ଡି ସିଲଭା(୩)ଙ୍କୁ ଆଉଟ୍ କରି ରାହୁଲ ଚୟର ତୃତୀୟ ସଫଳତା ହାସଲ କରିଥିଲେ। ହେଲେ ଏହା ପରେ ଦ୍ଵିତୀୟ ଟି-୨୦ ମୁକାବିଲାର ନାୟକ ଧନଞ୍ଜୟ ଡି ସିଲଭା ଓ ବୋଲିଂରେ କମାଲ କରିଥିବା ଓ୍ଵାନିନ୍ଦୁ ହସରଙ୍ଗା ଦଳକୁ ବିଜୟୀ କରାଇଥିଲେ। ସିଲଭା ୨୩ ଓ ହସରଙ୍ଗା ୧୪ ରନର ଅପରାଜିତ ରହିଥିଲେ। ଶ୍ରୀଲଙ୍କା ୧୪.୩ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଭାରତ ପକ୍ଷରୁ ଦୀପକ ଚହର ଶାଣିତ ବୋଲିଂ କରି ୧୫ ରନରେ ୩ ସଫଳତା ହାସଲ କରିଥିଲେ।