ଟୋକିଓ ଅଲିମ୍ପିକ୍ସ : କ୍ୱାର୍ଟର ଫାଇନାଲରେ ଭାରତୀୟ ହକି ଟିମ୍
- ଆର୍ଜେଣ୍ଟିନାକୁ ୩-୧ରେ ହରାଇଲା ଭାରତ
ଟୋକିଓ : ଟୋକିଓ ଅଲିମ୍ପିକ୍ସରେ କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କଲେ ଭାରତୀୟ ପୁରୁଷ ହକି ଟିମ୍ । ଗୁରୁବାର ଦଳ ନିଜର ଚତୁର୍ଥ ମୁକାବିଲାରେ ରିଓ ୨୦୧୬ରେ ସ୍ୱର୍ଣ୍ଣ ଜିତିଥିବା ଆର୍ଜେଣ୍ଟିନାକୁ ବରୁଣ କୁମାର, ବିବେକ ପ୍ରସାଦ ଏବଂ ହମରନ୍ପ୍ରୀତ୍ ଦେଇଥିବା ଗୋଲ୍ ଯୋଗୁଁ ୩-୧ରେ ମାତ୍ ଦେଇଛି । ଖେଳର ଚତୁର୍ଥ ଭାଗ ବେଳେକୁ ଆର୍ଜେଣ୍ଟିନା ଯାଇ ଭାରତର ସମକକ୍ଷ ହେବାରେ ସମର୍ଥ ହୋଇଥିଲା। ଭାରତ କିନ୍ତୁ ଧୀରସ୍ଥିର ରହି ପ୍ରତିଦ୍ୱନ୍ଦୀ ଆର୍ଜେଣ୍ଟିନାକୁ ଆଉ ଦୁଇଟି ଗୋଲ୍ ଦେଇଥିଲା। ଭାରତର ଏହା ଚାରୋଟି ମ୍ୟାଚରୁ ତୃତୀୟ ବିଜୟ ଅଟେ । ଦଳ ପୂର୍ବରୁ ନ୍ୟୁଜିଲାଣ୍ଡ ଓ ସ୍ପେନକୁ ହରାଇଥିବା ବେଳେ ଅଷ୍ଟ୍ରେଲିଆଠୁ ପରାସ୍ତ ହୋଇଥିଲା । ଏବେ ଏହାକୁ ମିଶାଇ ତିନୋଟି ମ୍ୟାଚ୍ରେ ଭାରତ ୯ ପଏଣ୍ଟ୍ ହାସଲ କରିପାରିଛି। ସମ୍ପ୍ରତି ଆର୍ଜେଣ୍ଟିନା ତୃତୀୟ ସ୍ଥାନରେ ଥିବା ସ୍ପେନ୍ ଠାରୁ ୫ ପଏଣ୍ଟ୍ରେ ଅଗ୍ରଣୀ ରହିଛି। ଏହି ଗ୍ରୁପ୍ରେ ଆଉ ମାତ୍ର ଗୋଟିଏ ମ୍ୟାଚ୍ ବାକି ରହିଛି । ଦଳ ଗ୍ରୁପ୍-ଏର ଶେଷ ମୁକାବିଲା ଜୁଲାଇ ୩୦ରେ ଜାପାନ ବିପକ୍ଷରେ ଖେଳିବ ।
ଆର୍ଜେଣ୍ଟିନା ବିପକ୍ଷ ମୁକାବିଲାରେ ଉଭୟ ଦଳ ଭଲ ଆରମ୍ଭ କରିଥିଲେ । ପ୍ରଥମ କ୍ୱାର୍ଟରରେ କୌଣସି ଗୋଲ୍ ହୋଇନଥିଲା । ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଉଭୟ ଦଳ ଗୋଲ୍ କରିପାରି ନଥିଲେ । ହାଫ୍ ଟାଇମ୍ ଯାଏଁ ସ୍କୋର ୦-୦ ଥିଲା । ତେବେ ୪୩ ମିନିଟରେ ବରୁଣ କୁମାର ଗୋଲ୍ କରି ଭାରତକୁ ୧-୦ରେ ଆଗୁଆ କରିଥିଲେ । ଆର୍ଜେଣ୍ଟିନା ଚତୁର୍ଥ କ୍ୱାର୍ଟରରେ ପ୍ରତ୍ୟାବର୍ତ୍ତନ କରିଥିଲା । ୪୮ ତମ ମିନିଟରେ ମ୍ୟାକୋ ସ୍କୁଥ୍ ଗୋଲ୍ କରି ୧-୧ରେ ବରାବର କରିଥିଲେ । ସେହିପରି ୫୮ ମିନିଟରେ ଭାରତର ବିବେକ କୁମାର ଆଉ ଏକ ଗୋଲ କରି ୨-୧ରେ ଆଗୁଆ ରଖିଥିଲେ । ସେହିପରି ୫୯ ମିନିଟରେ ହରମନପ୍ରିତ ସିଂ କର୍ଣ୍ଣରରେ ଗୋଲ୍ କରି ଦଳକୁ ୩-୧ରେ ଆଗୁଆ ରଖିଥିଲେ । ଭାରତକୁ ୮ଟି କର୍ଣ୍ଣର ମିଳିଥିବା ବେଳେ ଦଳ ୨ଟି ଗୋଲ୍ କରିଥିଲା ।