ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ : ଲାଗିଲା ପୋଷ୍ଟର, ଜାରି ହେଲା ଅଡିଓ ଟେପ୍
ଭୁବନେଶ୍ୱର : ଆଜିଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ସହିଦ ସପ୍ତାହ ପାଳନ କରିବାକୁ ମାଓବାଦୀ ପକ୍ଷରୁ ଅନୁରୋଧ କରାଯାଇଛି । ଝାଡଖଣ୍ଡରୁ ଛତିଶଗଡ଼ ପରେ ଓଡ଼ିଶା ସବୁଠି ଏବେ ମାଓବାଦୀଙ୍କ ସହୀଦ ସପ୍ତାହ ପାଳନ ଲାଗି ଆୱାନ । ବିଭିନ୍ନ ଜାଗାରେ ମାଓ ପୋଷ୍ଟର ଜାରି କରାଯାଇଛି ତ ମାଓ ନେତା ଜାରି କରିଛନ୍ତି ଅଡ଼ିଓ ଟେପ୍ । ନବରଙ୍ଗପୁର ଜିଲ୍ଲାର ରାଇଘର ଓ କୁନ୍ଦେଇ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଆଜି ମାଓ ବ୍ୟାନର ଲଗା ଯାଇଥିବା ଦେଖିବାକୁ ମିଳିଛି l ସେହିପରି ମାଲକାନଗିରି କୋରାପୁଟ ମାଓ ଡ଼ିଭିଜନର ମାଓ ନେତା ରାକେଶ ତେଲୁଗୁ ଭାଷାରେ ସହୀଦ ମାଓବାଦୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆୱାନ ଦେଇଛନ୍ତି । ଯବାନଙ୍କ ଉପରେ ବର୍ଷିବା ସହିତ ଗ୍ରାମାଞ୍ଚଳରେ ଜଳ ଜଙ୍ଗଲ ପାଇଁ ଲଢେଇ ଜାରି ରଖିବେ ବୋଲି କୁହାଯାଇଛି । ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ପୋଲିସ୍ ପକ୍ଷରୁ ସୀମାବର୍ତ୍ତି ଅଞ୍ଚଳରେ ତୀକ୍ଷଣ ନଜର ରଖିବା ସହିତ କମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି ।
ରାଇଘର ବ୍ଲକ ଏକ ସୀମାନ୍ତ ତଥା ମାଓ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ମାଓବାଦୀ ପକ୍ଷରୁ ବିଭିନ୍ନ ସମୟରେ ପୋଷ୍ଟର ଓ ବ୍ୟାନର ମାରି ନିଜର ଉପସ୍ଥିତି ଜାହିର କରି ଆସୁଥିବା ଦେଖିବାକୁ ମିଳୁଛି । ନକ୍ସଲ ନେତା ଚାରୁ ମଜୁମଦାର ଓ କହ୍ନେଇ ଚାଟାର୍ଜି ସହିଦ ହେବା ପରେ ଏହି ସପ୍ତାହକୁ ସହିଦ ସପ୍ତାହ ଭାବରେ ପାଳନ କରିବାକୁ ମାଓବାଦୀ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ଅବସରରେ ଆଜି ସକାଳୁ ରାଇଘର ବ୍ଲକର ଗଞ୍ଜାପାରା, ହିରି (ନୁଆପାରା) ଆଦି ବହୁତ ଅଞ୍ଚଳରେ ମାଓ ବ୍ୟାନର ଓ ପୋଷ୍ଟର ମରା ଯାଇଥିବା ଦେଖିବାକୁ ମିଳିଥିଲା। ଏହି ସବୁ ପୋଷ୍ଟର ଓ ବ୍ୟାନର ସୀତାନଦୀ ଏରିଆ କମିଟି ପକ୍ଷରୁ ଲାଗିଥିବା ଉଲ୍ଲେଖ କରାଯାଇଛି । କିଛି ଘଣ୍ଟା ପରେ ଖବର ପାଇ ରାଇଘର ଓ କୁନ୍ଦେଇ ପୁଲିସ ସମସ୍ତ ବ୍ୟାନର ଓ ପୋଷ୍ଟର ଜବତ କରିଥିବା ଜଣାପଡିଛି ।