ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା : ହାଇକୋର୍ଟରେ ମାମଲା, ସିବିଆଇ ତଦନ୍ତ ଦାବି
କଟକ : ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାକୁ ନେଇ ହାଇକୋର୍ଟରେ ଏକ ମାମଲା ରୁଜ୍ଜୁ ହୋଇଥିବା ଜଣାଯାଇଛି । ଏଥିରେ ସିବିଆଇ କିମ୍ବା ଏସଆଇଟି ତଦନ୍ତ କରିବାକୁ କୋର୍ଟଙ୍କୁ ନିବେଦନ କରାଯାଇଛି । ସମାଜସେବୀ ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ରୁଜ୍ଜୁ ହୋଇଥିବା ମାମଲାରେ ଗଜପତି ଏସପି ଓ କ୍ରାଇମବ୍ରାଂଚ ମୁଖ୍ୟଙ୍କ ସମେତ ୭ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି । ସୂଚନାଯୋଗ୍ୟ, ପାରଳାଖେମୁଣ୍ଡି ଏସିଏଫ୍ ସେମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସେମ୍ୟଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ପୂର୍ବରୁ ଏ ନେଇ ମୃତ ସେମ୍ୟଙ୍କ ବାପା ଅଭିରାମ ମହାପାତ୍ର ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଡିଜିଙ୍କୁ ଭେଟିବା ପରେ ଶ୍ରୀ ମହାପାତ୍ର କହିଛନ୍ତି, ପୁଲିସ ତଦନ୍ତକୁ ଠିକ୍ ବାଟରେ ନେଉଛି । ପୁଅ ଚାଲିଯାଇଛି, ହେଲେ ତାଙ୍କୁ ନ୍ୟାୟ ମିଳିବ ବୋଲି ରାଜ୍ୟ ପୁଲିସ ବିଭାଗ ଉପରେ ତାଙ୍କର ଭରସା ଅଛି । ତଦନ୍ତ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବାକୁ ସେ ଡିଜିପିଙ୍କୁ ନିବେଦନ କରିଛନ୍ତି । ପୁଅକୁ ତାଙ୍କ ବୋହୂ ବିଦ୍ୟାଭାରତୀ ପଣ୍ଡା, ଡିଏଫ୍ଓ ସଂଗ୍ରାମକେଶରୀ ବେହେରା ଓ ଡିଏଫ୍ଓ ଅଫିସ୍ର ରୋଷେୟା ମିଳିତ ଭାବେ ଷଡ଼୍ଯନ୍ତ୍ର କରି ହତ୍ୟା କରିଥିବାରୁ ଏହି ତିନି ଜଣଙ୍କର ଲାଏ ଡିଟେକସନ୍ ଟେଷ୍ଟ୍ କରିବା, ଡିଏଫଓ ଅଫିସ ଓ ବଙ୍ଗଳାର ଫରେନସିକ୍ ତଦନ୍ତ କରାଇବା ତଥା ତାଙ୍କ ବୋହୂ ଓ ରୋଷେୟାଙ୍କୁ ତଦନ୍ତ ପରିସରକୁ ନେବାକୁ ସେ ଦାବି କରିଛନ୍ତି । ସ୍ଥାନୀୟ ଥାନା ଅଧିକାରୀଙ୍କ କାର୍ଯ୍ୟକୁ ମଧ୍ୟ ତଦନ୍ତ ପରିସରକୁ ନେବା ପାଇଁ ସେ ଦାବି କରିଛନ୍ତି । ଏହାଛଡ଼ା ସେ ଭୁବନେଶ୍ୱର ଆସି ପିସିସିଏଫ୍ ଶିଶିର ରଥଙ୍କୁ ଭେଟିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ନ୍ୟାୟ ପ୍ରଦାନ ପାଇଁ ନିବେଦନ କରିଛନ୍ତି ।
ସୂଚନା ଯେ, ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ସୌମ୍ୟଙ୍କ ପରିବାରକୁ ଦିଆଯାଇଛି ତାଙ୍କର ପୋଷ୍ଟମର୍ଟମ ରିପୋର୍ଟ । କଟକ ମର୍କତନଗର ଥାନାରୁ ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ନେଇଛନ୍ତି ପରିବାର ଲୋକେ । ଏହି ରିପୋର୍ଟରେ ସୌମ୍ୟଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ି ଯାଇଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଉଲ୍ଲେଖ ରହିଛି । ପାକସ୍ଥଳି ଖାଲିଥିବା ଓ ସେଥିରୁ କୌଣସି ଦୁର୍ଗନ୍ଧ ଆସୁନଥିବା ଏବଂ ଶବ ବ୍ୟବଚ୍ଛେଦର ୬ ଘଂଟା ପୂର୍ବରୁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ଏହା ବ୍ୟତୀତ ସୌମ୍ୟଙ୍କ ପୋଡ଼ା ଦେହରୁ କିରୋସିନି ଗନ୍ଧ ଆସୁଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି । ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇବା ପରେ ସୌମ୍ୟରଞ୍ଜନଙ୍କ ବଡଭାଇ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଓକିଲଙ୍କ ପରାମର୍ଶ ଅନୁଯାୟୀ ପରବର୍ତି ପଦକ୍ଷେପ ନେବୁ । ନ୍ୟାୟ ପାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଫେରାଦ ହେବୁ । ଉଲ୍ଲେଖଯୋଗ୍ୟ, ନିଆଁରେ ପୋଡ଼ି ହୋଇ ଏସିଏଫ ସୌମ୍ୟରଞ୍ଜନ ଗୁରୁତର ହୋଇପଡି ଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଗତ ୧୩ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା ।