ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମମତା, କୋଭିଡ ଟିକା ଯୋଗାଣକୁ ନେଇ ଦାବି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମଙ୍ଗଳବାର ଅପରାହ୍ନ ୪ଟା ପରେ ମମତା ପ୍ରଧାନମନ୍ତ୍ରୀଙ୍କ ନୂଆଦିଲ୍ଲୀର ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ପହଞ୍ଚି ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଉଭୟଙ୍କ ମଧ୍ୟରେ ପ୍ରାୟ ୪୦ ମିନିଟ ଧରି ଏହି ବୈଠକ ଚାଲିଥିବାବେଳେ ପଶ୍ଚିମବଙ୍ଗ ପାଇଁ କରୋନା ଟିକା, ରାଜ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ, କେନ୍ଦ୍ର ବାକି ରଖିଥିବା ରାଜ୍ୟର ଅର୍ଥ ତୁରନ୍ତ ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି। ସେ ପେଗାସସ୍ ରିପୋର୍ଟର ତଦନ୍ତ ସୁପ୍ରିମକୋର୍ଟଙ୍କ ଦ୍ୱାରା କରାଇବାକୁ କହିଛନ୍ତି। ଏଥିସହ ମୋଦି ତୁରନ୍ତ ପେଗାସସ୍ ଗୁଇନ୍ଦାଗିରି ଘଟଣାରେ ସର୍ବଦଳୀୟ ବୈଠକ ଡାକିବା ଦରକାର ବୋଲି ଦାବି କରିଛନ୍ତି।
ବୈଠକ ପରେ ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି ଯେ, ମୁଁ କରୋନା ଟିକା ବାବଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଛି । କିଭଳି ରାଜ୍ୟକୁ ଅଧିକ ଟିକା ଏବଂ ଔଷଧ ଦିଆଯିବ ସେ ବାବଦରେ ଆଲୋଚନା କରିଛି । ଜନସଂଖ୍ୟା ଦୃଷ୍ଟିରୁ ପଶ୍ଚିମବଙ୍ଗ ଅନ୍ୟ ରାଜ୍ୟ ତୁଳନାରେ କମ୍ ଟିକା ପାଇଛି। ତେଣୁ ତୃତୀୟ ତରଙ୍ଗ ପୂର୍ବରୁ ସମସ୍ତଙ୍କୁ ଟିକା ଦରକାର ହେଉଥିବାରୁ ଟିକା ଯୋଗାଇ ଦେବାକୁ ଅନୁରୋଧ କରିଛି | ସେହିପରି ପେଗାସସ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡ଼ାକିବା ସହିତ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ କରାଇବାକୁ ମମତା ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ସୂଚନା ଯେ, ବେଙ୍ଗଲ ନିର୍ବାଚନରେ ବିପୁଳ ଜନସମର୍ଥନ ସହ ବାଜିମାତ କରିବା ପରେ ଏହା ମମତା ଓ ମୋଦିଙ୍କ ମଧ୍ୟରେ ପ୍ରଥମ ବ୍ୟକ୍ତିଗତ ଭେଟଘାଟ। ୫ ଦିନିଆ ଦିଲ୍ଲୀ ଗସ୍ତରେ ଆସିଥିବା ମମତା ଚଳିତ ମାସ ଆରମ୍ଭରୁ ମୋଦିଙ୍କୁ ଭେଟିବା ପାଇଁ ସମୟ ମାଗିଥିଲେ। ହେଲେ ଏବେ ମୋଦିଙ୍କ କାର୍ଯ୍ୟାଳୟ ତାଙ୍କୁ ଭେଟିବାର ସମୟ ଦେଇଥିଲା। ଏହାପୂର୍ବରୁ ମେ’ ମାସରେ ବାତ୍ୟା ୟାସ ସମୟରେ ଦୁଇ ନେତା କିଛି ସମୟ ପାଇଁ କଥା ହୋଇଥିଲେ। ହେଲେ ମମତା କେବଳ ମୋଦିଙ୍କୁ କ୍ଷୟକ୍ଷତିର ରିପୋର୍ଟ ଧରାଇ ଦେଇ ଚାଲି ଯାଇଥିଲେ। ହେଲେ ଆଜି ଦିଦି ଓ ମମତା ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି।