ଅଗଷ୍ଟରୁ ୨-୧୭ ବର୍ଷ ବୟସ୍କଙ୍କୁ ଦିଆଯିବ ଟିକା !
ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନାର ଦ୍ଵିତୀୟ ଲହର ଜାରି ରହିଛି । ତେବେ ତୃତୀୟ ଲହର କେତେବେଳେ ଆସିବା ଏବଂ ଏହା ବିଶେଷ କରି ଶିଶୁଙ୍କୁ ଆକ୍ରାନ୍ତ କରିବ ସେ ନେଇ ଚିନ୍ତାରେ ସରକାର । ଏହାରି ମଧ୍ୟରେ ଏକ ଭଲ ଖବର ଆସିଛି । ଭାରତରେ ଆସନ୍ତା ଅଗଷ୍ଟ ମାସରୁ ୧୮ବର୍ଷରୁ କମ ଅର୍ଥାତ ୨ରୁ ୧୭ ବର୍ଷ ବୟସ୍କଙ୍କୁ ଦିଆଯିବ କରୋନା ଟିକା । ଏନେଇ ବିଜେପିର ସଂସଦୀୟ ବୈଠକରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟିକାର ପରୀକ୍ଷା ବର୍ତ୍ତମାନ ଚାଲିଛି । ଏହା ସଫଳ ହେଲେ ଯଥାଶୀଘ୍ର ୨ ରୁ ୧୭ ବର୍ଷ ପିଲାଙ୍କୁ ଟିକା ଦିଆଯିବ। ଆସନ୍ତା ମାସରୁ ଏହା ଆରମ୍ଭ ହୋଇପାରେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
ତେବେ ୧୮ବର୍ଷରୁ କମ ବୟସ୍କ ପିଲାଙ୍କୁ କରୋନା ଟିକା ଦିଆଯିବା ନେଇ ଅନେକ ଦିନରୁ ଲୋକେ ଅପେକ୍ଷା କରିଥିବା ବେଳେ ଏବେ ଅପେକ୍ଷାର ଅନ୍ତ ହେଲା ଭଳି ଲାଗୁଛି । ଆଗକୁ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ଭାବେ ଖୋଲିବାକୁ ସରକାର ଯୋଜନା କରୁଥିବାବେଳେ ଇଣ୍ଡୋନେସିଆରେ କରୋନାରେ ଶିଶୁଙ୍କ ବର୍ଦ୍ଧିତ ମୃତ୍ୟୁ ସଂଖ୍ୟା ସରକାରଙ୍କ ଚିନ୍ତା ବଢାଇଦେଇଛି । ଅନ୍ୟପକ୍ଷରେ, କରୋନାର ତୃତୀୟ ଲହରକୁ ରୋକିବାକୁ ହେଲେ ପିଲାଙ୍କ ଟିକାକରଣ ଉପରେ ଗୁରୁତ୍ୱ ଦିଆଯିବା ଜରୁରୀ ବୋଲି ଏମ୍ସ ମୁଖ୍ୟ ଡଃ ରଣଦୀପ ଗୁଲେରିଆ କହିଛନ୍ତି । ସୂଚନା ଯେ, ଗତ ମେ’ ୧୨ ତାରିଖରେ ଡିସିଜିଆଇ ଭାରତ ବାୟୋଟେକକୁ ଦୁଇ ବର୍ଷରୁ କମ୍ ପିଲାମାନଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା କରିବାକୁ ଅନୁମତି ପ୍ରଦାନ କରିଥିଲା । ଏହା ପରେ ଜୁନ୍ ୭ରେ, ଦିଲ୍ଲୀ ଏମ୍ସରେ ୨ରୁ ୧୭ବର୍ଷ ବୟସର ପିଲାମାନଙ୍କୁ କୋଭିଡ -୧୯ ଟିକା ଦେବା ପାଇଁ ଭାରତ ବାୟୋଟେକ ପରୀକ୍ଷା ଆରମ୍ଭ କରିଥିଲା।