ଦେଶରେ ଆଉ ୪୧,୩୮୩ କରୋନା ସଂକ୍ରମିତ ଚିହ୍ନଟ ଓ ୫୦୭ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି। ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ କମୁଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଚାଲିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦୈନିକ ମୃତ୍ୟୁ ସଂଖ୍ୟା ୫୦୦ ଟପିଛି । ଦେଶରେ ଦୈନିକ ସଂକ୍ରମଣ ହାର ୨.୪୧% ଏବଂ ସାପ୍ତାହିକ ହାର ୨.୧୨% ରହିଛି । ବୁଧବାର ସୁଦ୍ଧା ଦେଶରେ ୪୫.୦୯ କୋଟି ନମୁନା ପରୀକ୍ଷା କରାଯାଇସାରିଛି । ଦେଶରେ କରୋନରୁ ଆରୋଗ୍ୟ ହାର ୯୭.୩୫% ରହିଛି । ସେହିଭଳି ବୁଧବାର ସନ୍ଧ୍ୟା ସୁଦ୍ଧା ମୋଟ ୪୧.୭୮ କୋଟି ଟିକା ଦିଆଯାଇସାରିଛି ।
ଗୁରୁବାର ଗତ ୨୪ଘଣ୍ଟାରେ ୪୧ହଜାର ୩୮୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୦୭ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୩୮ହଜାର ୬୫୨ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୪ଲକ୍ଷ ୨୯ହଜାର ୩୩୯କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୧୮ହଜାର ୯୮୭ରେ ପହଞ୍ଚିଛି । ଅନ୍ୟପକ୍ଷରେ ୩କୋଟି ୩ଲକ୍ଷ ୯୦ହଜାର ୬୮୭ଜଣ ସୁସ୍ଥ ହୋଇଥିବା ବେଳେ ୪ଲକ୍ଷ ୯ହଜାର ୩୯୪ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।