ବର୍ଷା ଅଭାବରୁ ଚିନ୍ତାରେ ୧୭ ଜିଲାର ଚାଷୀ
ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ନିଅଣ୍ଟିଆ ବର୍ଷା । ସଠିକ ସମୟରେ ରାଜ୍ୟକୁ ମୌସୁମୀ ବାୟୁ ପ୍ରବେଶ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସ୍ୱାଭାବିକ ବର୍ଷା ହୋଇ ନାହିଁ । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ରାଜ୍ୟର ୧୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ଜୁନ ପହିଲାରୁ ଜୁଲା ୧୩ ପର୍ଯ୍ୟନ୍ତ ରାଜ୍ୟରେ ୨୭୩ ମି.ମି ବର୍ଷା ହୋଇଥିବା ବେଳେ ଏହା ସ୍ୱାଭାବିକ ବର୍ଷାଠାରୁ ୨୧ ପ୍ରତିଷତ ବର୍ଷା କମ୍ ହୋଇଛି । ଜଳବାୟୁର ଏଭଳି ପରିବର୍ତନ ଏବେ ଚାଷୀକୁଳ ପାଇଁ କାଳ ସାଜିଛି। ବର୍ଷା ଅଭାବରୁ ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲାରେ ଗଜା ମରୁଡ଼ିର ପଦଧ୍ବନି ଶୁଣିବାକୁ ମିଳିଲାଣି। ଜମିରେ ପାଣି ନ ଥିବାରୁ କେଉଁଠି ରୁଆ ବେଉଷଣ ହୋଇ ପାରୁନାହିଁ ତ ଆଉ କେଉଁଠି ଧାନ ବୁଣି ବର୍ଷାକୁ ଚାହିଁ ରହିଛି ଚାଷୀ। କେନାଲରେ ପାଣି ଆସୁ ନ ଥିବାରୁ କେତେକ ସ୍ଥାନରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଭଦ୍ରକ, ଗଜପତି, କେନ୍ଦୁଝର ସମେତ ୧୭ରୁ ଅଧିକ ଜିଲ୍ଲାରେ ସ୍ଥିତି ସାଂଘାତିକ ଆଡ଼କୁ ଗତି କରୁଛି। ସେହିପରି ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ୨୨ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପ୍ରଭାବରେ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇ ବର୍ଷା ବଢ଼ିପାରେ। ତେବେ ଏ ପର୍ଯ୍ୟନ୍ତ ଜୁଲାଇରେ ଯେତିକି ପାରିମାଣର ବର୍ଷା ହେବା କଥା ତା’ଠାରୁ ବହୁତ କମ୍ ହୋଇଛି। ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ଗତ ୧୧ ତାରିଖ ସୁଦ୍ଧା ଜୁଲାଇରେ ୪୧.୨% ନିଅଣ୍ଟିଆ ବର୍ଷା ହୋଇଛି। ଭଦ୍ରକ, ଯାଜପୁର, ଗଜପତି, କେନ୍ଦୁଝର, ଅନୁଗୁଳ, ବାଲେଶ୍ବର, କନ୍ଧମାଳ, ମୟୂରଭଞ୍ଜ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ପୁରୀ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇ ନ ଥିବାରୁ ଚାଷ କାର୍ଯ୍ୟ ଆଗେଇପାରି ନାହିଁ। ରଜ ସମୟରେ ଯେଉଁ ଚାଷୀମାନେ ତଳି ପକାଇଥିଲେ ପାଣି ଅଭାବରୁ ସେଗୁଡ଼ିକ ଏବେ ଜଳି ଯାଉଥିବା ଖବର ଆସିଲାଣି।
ତେବେ ସବୁଠୁ କମ୍ ବା ନିଅଣ୍ଟିଆ ବର୍ଷା ହୋଇଛି ଭଦ୍ରକ ଜିଲ୍ଲାରେ ଯାହା ୧୩୧.୧ମି.ମି ଆକଳନ କରାଯାଇଛି । ତେବେ ପାଖାପଖୀ ୧୭ ଜିଲ୍ଲାରେ କମ୍ ନର୍ଷା ହୋଇଥିବା ବେଳେ ୨୦% ରୁ ୫୯% କମ୍ ବର୍ଷା ହୋଇଥିବା ଜିଲ୍ଲା ଗୁଡିକ ହେଉଛି ଯାଜପୁର, ଭଦ୍ରକ, ମୟୂରଭଞ୍ଜ କେନ୍ଦୁଝର, ଅନୁଗୋଳ, ଦେବଗଡ଼ ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି ନବରଙ୍ଗପୁର , ଗଞ୍ଜାମ, ଗଜପତି ରାୟଗଡ଼ା । ଏହାବାଦ କେନ୍ଦୁଝର ଗଞ୍ଜାମ , ଯାଜପୁର ଓ ଭଦ୍ରକରେ ଚାରି ଜିଲ୍ଲାରେ ଆସନ୍ତା ୧୫ଦିନ ମଧ୍ୟରେ ଭଲ ବର୍ଷା ନହେଲେ ଚାଷ କାର୍ଯ୍ୟ ଗୁରୁତର ପ୍ରଭାବିତ ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍ ଆର ବିଶ୍ବାସ କହିଛନ୍ତି ଯେ ଜୁନ୍ ପହିଲାରୁ ଆଜି ପର୍ଯ୍ୟନ୍ତ ସ୍ବାଭାବିକ ଭାବେ ୩୪୭ ମିମି ବର୍ଷା ହେବା କଥା। ତେବେ ମାତ୍ର ୨୭୩.୬ ମିମି ହୋଇଛି। ପାଖାପାଖି ୨୧% କମ୍ ବର୍ଷା ହୋଇଛି। ୧୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଲାଗିରହିଛି। ଭଦ୍ରକ ଜିଲ୍ଲାରେ ସବୁଠାରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଛି। ଏବେ ସୁଦ୍ଧା ଏହି ଜିଲ୍ଲାରେ ସ୍ବାଭାବିକ ଭାବେ ୩୩୧ ମିମି ବର୍ଷା ହେବା କଥା। ତେବେ ମାତ୍ର ୧୩୧ ମିମି ହୋଇଛି। କେନ୍ଦୁଝର, ଯାଜପୁର, ଗଜପତିରେ ୪୦% କମ୍ ବର୍ଷା ହୋଇଛି। ଲଘୁଚାପ ଏବେ ଦୁର୍ବଳ ହୋଇସାରିଛି। ତେଣୁ ଆସନ୍ତା ୪ ଦିନ ଓଡ଼ିଶାରେ ସେଭଳି ବଡ଼ ବର୍ଷା ନାହିଁ। ତେବେ ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ରହିବ। ୧୫ରୁ ୧୭ ଯାଏ ସେଭଳି ବର୍ଷା ନ ଥିବା ସେ କହିଛନ୍ତି।