ଉତ୍ତରାଖଣ୍ଡରେ ନିର୍ବାଚନ ପାଇଁ କେଜ୍ରିୱାଲଙ୍କ ପ୍ରତିଶ୍ରୁତି : ୩ଶହ ୟୁନିଟ୍ ମାଗଣା ବିଜୁଳି ଓ ପୁରୁଣା ବିଲ୍ ଛାଡ଼
ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆମ୍ ଆଦ୍ମୀ ପାର୍ଟି ପକ୍ଷରୁ ଆଜି ବଡ଼ ଘୋଷଣା କରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉତ୍ତରାଖଣ୍ଡରେ ଆପ୍ ସରକାର ଗଢ଼ିଲେ ଜନତାଙ୍କୁ ୩ ଶହ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଏଥି ସହିତ ବାକି ଥିବା ପୁରୁଣା ବିଲ୍ ମଧ୍ୟ ଛାଡ଼ କରାଯିବ ବୋଲି ସେ ଏହି ଘୋଷଣାରେ କହିଛନ୍ତି । ଆପ୍ ସରକାର ଲୋକଙ୍କୁ ୨୪ ଘଣ୍ଟା ମାଗଣା ବିଜୁଳି ଯୋଗାଇ ଦେବେ ଏବଂ କୃଷକଙ୍କୁ ମଧ୍ୟ ମାଗଣା ବିଜୁଳି ଦିଆଯିବ ବୋଲି ସେ କହିଛନ୍ତି ।
ଡେରାଡୁନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ ଉଭୟ ବିଜେପି ଓ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ସେହିପରି ଭଗବାନ ଉତ୍ତରାଖଣ୍ଡକୁ ସବୁକିଛି ଦେଇଛନ୍ତି । ହେଲେ ଉତ୍ତରାଖଣ୍ଡର ନେତା ଏବଂ ରାଜନୈତିକ ଦଳ ଏହାକୁ ବର୍ବାଦ କରିବାକୁ କୌଣସି ବି ସୁଯୋଗ ଛାଡ଼ିନାହାନ୍ତି । ୨୦ ବର୍ଷ ଧରି ଶାସନ କରି ଆସୁଥିବା ଦୁଇ ଦଳ ଜନତାଙ୍କୁ ଲୁଟିଛନ୍ତି । ଦୁଇଟି ଚକିରେ ଗହମ ପେଶି ହେବା ଭଳି ଉତ୍ତରାଖଣ୍ଡର ଜନତା ଦୁଇଟି ରାଜନୈତିକ ଦଳର ଶାସନ କାଳରେ ପେଶି ହୋଇଯାଇଛନ୍ତି । ବିଜେପିକୁ ଟାର୍ଗେଟ କରି କହିଛନ୍ତି କି କ୍ଷମତାରେ ଥିବା ଦଳ ପାଖରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାହାନ୍ତି ତେଣୁ ପାଳି କରି ଜଣେ ପରେ ଜଣେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳୁଛନ୍ତି । ଅନ୍ୟପଟେ କ୍ଷମତାରେ ଥିବା ସରକାରକୁ ଟାର୍ଗେଟ କରି ସେ କହିଛନ୍ତି କି ଉତ୍ତରାଖଣ୍ଡ ରାଜ୍ୟରେ ପ୍ରବଳ ବିଜୁଳି ଉତ୍ପାଦନ କରାଯାଉଛି । ରାଜ୍ୟ ବି ଅନ୍ୟ ରାଜ୍ୟମାନଙ୍କୁ ବିଜୁଳି ବିକୁଛି । ହେଲେ ନିଜ ରାଜ୍ୟର ଲୋକଙ୍କୁ ଏତେ ଚଢାଦରରେ ବିଜୁଳି ବିକି ଲୋକଙ୍କୁ ଶୋଷଣ କରୁଛି | କିନ୍ତୁ ଆପ କ୍ଷମତାକୁ ଆସିଲେ ଏ ସମସ୍ୟା ଦୂର ହେବ । ସୂଚନା ଯେ, ପୂର୍ବରୁ ଅରବିନ୍ଦ କେଜରିୱାଲ୍ ଉତ୍ତରାଖଣ୍ଡ ଲୋକଙ୍କୁ ମାଗଣା ବିଜୁଳି ଯୋଗାଇ ଦିଆଯିବ ବୋଲି ଟ୍ୱିଟ୍ କରି ଜଣାଇଥିଲେ । ସେ ଟ୍ୱିଟ୍ରେ କହିଥିଲେ ଯେ, ଦିଲ୍ଲୀରେ ବିଜୁଳି ଉତ୍ପାଦନ ହେଉନାହିଁ କିନ୍ତୁ ବାହାର ରାଜ୍ୟରୁ ଆଣି ବି ଦିଲ୍ଲୀରେ ବିଜୁଳି ମାଗଣା ଦିଆଯାଉଛି । ଉତ୍ତରାଖଣ୍ଡକୁ କାହିଁକି ମାଗଣା ବିଜୁଳି ଦିଆନଯିବ । ଡେରାଡୁନ୍ ଗସ୍ତରେ ଯାଇଥିବା କେଜରିୱାଲ୍ଙ୍କ ଏହି ଘୋଷଣାକୁ ନେଇ ଉତ୍ତରାଖଣ୍ଡରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ପ୍ରଭାବ ପାକାଇ ପାରେ ବୋଲି ଚର୍ଚ୍ଚା ହେଉଛି ।