ଉତ୍ତରପ୍ରଦେଶ-ବିହାର ପର୍ଯ୍ୟନ୍ତ ଗଙ୍ଗାନଦୀ ଜଳରେ ନାହିଁ କରୋନା
ବାରଣାସୀ : ଉତ୍ତରପ୍ରଦେଶରୁ ଆରମ୍ଭ କରି ବିହାର ପର୍ଯ୍ୟନ୍ତ ଗଙ୍ଗାନଦୀ ଜଳରେ କରୋନା ନାହିଁ। ଗଙ୍ଗା ନଦୀର ୧୩ଟି ଘାଟରୁ ସଂଗୃହୀତ ୬୭ଟି ସାମ୍ପଲର ଆରଟିପିସିଆର ପରୀକ୍ଷଣ ରିପୋର୍ଟ ନେଗେଟିଭ ଆସିଛି। ତେବେ ସବୁ ଜଳ ନମୁନାରୁ ହାନିକାରକ ବ୍ୟାକ୍ଟେରିଆ ଠାବ ହୋଇଥିବାର ଚାଞ୍ଚଲ୍ୟକର ରିପୋର୍ଟ ମିଳିଛି। ଏହି ଯାଞ୍ଚବେଳେ ଗଙ୍ଗାପାଣିରେ ଅମ୍ଲଯାନ (ଅକ୍ସିଜେନ)ର ସ୍ତର କମ ଦେଖାଯାଇଛି। ହେଲେ ଗଙ୍ଗାର ପାଣି ଏବେବି ଏହାର ଜଳଚର ଜୀବଙ୍କ ଲାଗି ସୁରକ୍ଷିତ ବୋଲି ରିପୋର୍ଟରେ କୁହାଯାଇଛି।
ନ୍ୟାସନାଲ ମିସନ ଫର କ୍ଲିନ ଗଙ୍ଗା ଜଳର ମାନ ଯାଞ୍ଚ ଲାଗି ବିହାର ଓ ଉତ୍ତର ପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଆଇଆଇଟିଆର ଲକ୍ଷ୍ନୌଙ୍କୁ ଦାୟିତ୍ୱ ଦେଇଥିଲେ। ଏଥିଲାଗି ପ୍ରଥମ ପର୍ଯ୍ୟାୟରେ ମେ ୨୪ରୁ ଜୁନ ୬ ତାରିଖ ମଧ୍ୟରେ ନମୁନା ସଂଗ୍ରହ କରାଯାଇଥିଲା। ପରେ ଦ୍ୱିତୀୟ ପର୍ଯ୍ୟାୟ ସାମ୍ପଲିଂ ୧୦ ଜୁନରୁ ୨୧ ଜୁନ ମଧ୍ୟରେ ଶେଷ କରାଯାଇଥିଲା। ଏହା ପରେ ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ଏଥିପାଇଁ ଆଇଆଇଟିଆର ଲକ୍ଷ୍ନୌ ଉତ୍ତରପ୍ରଦେଶ ଓ ବିହାରର ୧୩ଟି ସହରର ଘାଟମାନଙ୍କରୁ ୬୭ଟି ନମୁନା ସଂଗ୍ରହ କରିଥିଲେ। କେତେକ ସ୍ଥାନରେ ନମୁନା ସଂଗ୍ରହକାରୀ ଡଙ୍ଗାରେ ନଦୀ ମଝିକୁ ଯାଇ ସାମ୍ପଲ ଆଣିଥିଲେ। ଏହି ସବୁ ନମୁନାର ବୈଜ୍ଞାନିକ ଯାଞ୍ଚ ବେଳେ ଗଙ୍ଗା ପାଣିରେ ବାୟୋ ଅକ୍ସିଜେନ ଡିମାଣ୍ଡ (ବିଓଡି)ର ମାନ ଅନେକ ଅଧିକ ଥିବା ଜଣାପଡିଛି। ନଦୀର ୧ ଲିଟର ସ୍ୱଚ୍ଛ ଜଳରେ ବିଓଡି ସ୍ତର ୩ ମିଲିଗ୍ରାମରୁ ମଧ୍ୟ କମ ରହିବା କଥା ତେବେ ଏହା ଅନେକ ଅଧିକ ଥିବା ଦେଖା ଯାଇଛି। ଏଥିରୁ ଜଳଚର ଜୀବଙ୍କ ଲାଗି ନଦୀର ଜଳ ଏବେବି ସୁରକ୍ଷିତ ଥିବା ସ୍ପଷ୍ଟ ହୋଇଥିବା ବେଳେ ଗାଧୋଇବା ପାଇଁ କିନ୍ତୁ ଉପଯୁକ୍ତ ନୁହେଁ ବୌଲି ବୈଜ୍ଞାନିକ କହିଛନ୍ତି। ହେଲେ ପ୍ରତ୍ୟେକ ନମୁନାରୁ ଇ-କୋଲାଇ ବ୍ୟାକ୍ଟରିଆ ମିଳିଥିବା ଜଣାପଡିଛି। ଏହି ବ୍ୟାକ୍ଟରିଆ ମଣିଷ ଓ ପଶୁ ଉଭୟଙ୍କ ଶରୀରରେ ରହିଛି। ହେଲେ ଏହାର କେତେକ ପ୍ରାରୁପ ହାନିକାରକ ହୋଇଥାଏ। ହେଲେ ଗଙ୍ଗା ଜଳରେ କରୋନା ଭୂତାଣୁ ନଥିବା ସ୍ପଷ୍ଟ ହୋଇଯାଇଥିବା ଆଇଆଇଟିଆର ନିର୍ଦ୍ଦେଶକ ପ୍ରଫେସର ଏସ୍.କେ. ବାରିକ କହିଛନ୍ତି।