ଆଜି ଠାରୁ ପାଗରେ ପରିବର୍ତ୍ତନ, କାଳବୈଶାଖୀ ବର୍ଷା ଆଣିବ ତାତିରୁ ଆଶ୍ୱସ୍ତି
ଭୁବନେଶ୍ବର: ରାଜ୍ୟରେ ଆଜି ଠାରୁ ପାଗରେ ଆସିବ ପରିବର୍ତ୍ତନ । ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ଥିବାରୁ ଅସହ୍ୟ ତାତିରୁ ନିସ୍ତାର ମିଳିପାରେ । ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସମ୍ଭାବନା ରହିଛି। ଫଳରେ ସୋମବାର ଠାରୁ ଗ୍ରୀଷ୍ମ ପ୍ରବାହରେ ବ୍ରେକ ଲାଗିପାରେ। ସେହିପରି ୭ ଏବଂ ୮ ତାରିଖରେ କାଳବୈଶାଖୀ ପ୍ରଭାବ ଅଧିକ ରହିବ। ଏଥିପାଇଁ ୬ରୁ ୮ ତାରିଖ ମଧ୍ୟରେ ସମୁଦ୍ରକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ଜାରି କରାଯାଇଛି।
ମେ ୬ରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଗଞ୍ଜାମ, ଗଜପତି, କନ୍ଧମାଳ ଜିଲାରେ କାଳବୈଶାଖୀ ଜନିତ ବର୍ଷା ସହ ସ୍ଥାନେ ସ୍ଥାନେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ମେ ୭ରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଟକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ ଓ କଳାହାଣ୍ଡି ଜିଲାରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ସହ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ହୋଇପାରେ। ଏପରିକି ଗଞ୍ଜାମ, କଳାହାଣ୍ଡି, ନବରଙ୍ଗପୁର ଓ କନ୍ଧମାଳ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା(୭ରୁ ୧୧ ସେମି) ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ଅନୁଗୁଳ, କେରାପୁଟ ଓ ରାୟଗଡ଼ା ଜିଲ୍ଲାରେ ମଧ୍ୟ କାଳବୈଶାଖୀ ପ୍ରଭାବ ରହିବ। ୮ ତାରିଖ ବେଳକୁ କାଳବୈଶାଖୀ ସହ ବର୍ଷା ପ୍ରଭାବ ବଢ଼ିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ କହିବାନୁଯାୟୀ କାଳବୈଶାଖୀ ପ୍ରଭାବରେ ଆଜି ଠାରୁ ପାଣିପାଗରେ ପରିବର୍ତ୍ତନ ଆସିବ। ଦିନର ତାପମାତ୍ରା ୪ରୁ ୬ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ସମୁଦ୍ର ଆଡ଼ୁ ରାଜ୍ୟ ମଧ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରିବାର ସମ୍ଭାବନା ଥିବାରୁ ମେ ୭, ୮ ଓ ୯ ତାରିଖରେ ବର୍ଷା ପରିମାଣ ବଢ଼ିବ। ୬ରୁ ୮ ତାରିଖ ମଧ୍ୟରେ ଉତ୍ତର ଉପକୂଳ ଓଡ଼ିଶା-ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ର ଅଶାନ୍ତରୁ ଅତ୍ୟଧିକ ଅଶାନ୍ତ ରହିପାରେ। ତେଣୁ ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ୬ରୁ ୮ ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ଉତ୍ତର ଉପକୂଳ ଓଡ଼ିଶାର ସମୁଦ୍ର ଆଖପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ବାରଣ ହୋଇଛି। ଆସନ୍ତା ୭ ଦିନ ପର୍ଯ୍ୟନ୍ତ କଟକ ଓ ଭୁବନେଶ୍ବର ସହରର ଦିନ ତାପମାତ୍ରା ହ୍ରାସ ପାଇବ। ୯ ତାରିଖ ବେଳକୁ ଉଭୟ ସହରର ପାରଦ ୩୫ ଡିଗ୍ରି ପାଖକୁ ଖସି ଆସିବାର ସମ୍ଭାବନା ରହିଛି।