ଅସହ୍ୟ ଖରାରେ ଅସ୍ତଵ୍ୟସ୍ତ ଜନଜୀବନ, ଆହୁରି ୪୮ ଘଣ୍ଟା ପ୍ରଖର ତାତି
ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ଖରା । ସିଝୁଛି ଓଡ଼ିଶା । ଜନଜୀବନକୁ ଅସ୍ତଵ୍ୟସ୍ତ । ପ୍ରଚଣ୍ଡ ଗରମ ଓ ମାତ୍ରାଧିକ ଗୁଳୁଗୁଳିରେ ଲୋକେ ଅସ୍ତବ୍ୟସ୍ତ। ବିଶେଷକରି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ଦାଉ ସାଧୁଛି ଗ୍ରୀଷ୍ମ ତାତି ।
ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହର ପ୍ରଭାବ ଆସନ୍ତାକାଲି ଯାଏଁ ରହିବ । ଗତକାଲି ରାଜ୍ୟର ୨ ସହର ମାଲକାନଗିରି ଓ ବୌଦ୍ଧର ତାପମାତ୍ରା ୪୨ ଡିଗ୍ରୀ ଛୁଇଁଥିବାବେଳେ ଆଜି ସର୍ବାଧିକ ଗ୍ରୀଷ୍ମ ପ୍ରବାହ ହୋଇପାରେ ବୋଲି ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ରାଜ୍ୟରେ ୧୦ରୁ ଅଧିକ ସହରର ତାତି ୪୦ ଡିଗ୍ରୀ ଉପରେ ରହୁଛି। ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରଖର ଗ୍ରୀଷ୍ମ ପ୍ରବାହର ସାଙ୍ଗକୁ ବିଭିନ୍ନ ସ୍ଥାନରେ ଖରା ୪୦ ଡିଗ୍ରୀ ପାର୍ କରିପାରେ। ଆଜି ଅଧିକ ଖରା ନେଇ ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ମାଲକାନଗିରି, ନୟାଗଡ଼, କେନ୍ଦୁଝର ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ବଲାଙ୍ଗିର, କନ୍ଧମାଳ, ବୌଦ୍ଧ ଓ ଭଦ୍ରକ ଜିଲାରେ ରାତି ପ୍ରବଳ ଗୁଳୁଗୁଳି ହୋଇପାରେ। ଏଥିପାଇଁ ଏହି ଜିଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ କାଲି ପରେ ପଶ୍ଚିମାଝଡ଼ ସକ୍ରିୟ ହେବା ସହ ତାତି କମିବା ସମ୍ଭାବନା ରହିଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ୨ ଦିନ ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ତାପମାତ୍ରା ୨ ଡିଗ୍ରୀ ଯାଏଁ ବୃଦ୍ଧି ପାଇବା ସମ୍ଭାବନା ରହିଛି । କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାକୁ ଥିଲେ ମଧ୍ୟ ତାତି ପ୍ରଭାବ କମିବା ସମ୍ଭାବନା ନାହିଁ । ଆସନ୍ତା ୭ ତାରିଖ ପରେ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ପ୍ରଭାବ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।