ବାଲେଶ୍ୱର : ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୩-୨୪ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବାଲେଶ୍ୱର : ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା- ୨୦୨୩-୨୪ ଅନୁଯାୟୀ ଜିଲାସ୍ତରରେ ବରିଷ୍ଠ ନାଗରିକମାନଙ୍କର ଚୟନ କରାଯାଇ ତୀର୍ଥଯାତ୍ରା ଆୟୋଜନ କରାଯାଉଅଛି । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର ଓ ଯାଜପୁର ଆଦି ୫ଟି ଜିଲାର ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ମାର୍ଚ୍ଚ ୨ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ୩୦ମିନିଟ୍ ସମୟରେ ବାଲେଶ୍ୱର ରେଳ ଷ୍ଟେସନ ଠାରୁ ଆଗ୍ରା-ମଥୁରା ଅଭିମୁଖେ ଯାତ୍ରା କରିବେ । ଏହି ଯୋଜନା ଅନ୍ତର୍ଗତ ୯୭୦ ଜଣ ବରିଷ୍ଠ ତୀର୍ଥଯାତ୍ରୀ ଓ ସମ୍ମିଳିତ ଜିଲାଗୁଡ଼ିକର ୩୦ ଜଣ ଏସ୍କର୍ଟ ଅଧିକାରୀ ରେଳ ବିଭାଗ ଯୋଗାଇ ଦେଉଥିବା ସ୍ୱତନ୍ତ୍ର ରେଳ ଯୋଗେ ଯାତ୍ରା କରିବେ ।
ଏହି ପରିପ୍ରେକ୍ଷୀରେ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷ ଠାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା- ୨୦୨୩-୨୪ ନିମନ୍ତେ ସୋମବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନିଷ୍ପତ୍ତି ମୁତାବକ ଯାତ୍ରା ନିମନ୍ତେ ଚୟନ ହୋଇଥିବା ଯାତ୍ରୀମାନେ ମାର୍ଚ୍ଚ ୧ ତାରିଖରେ ଜିଲା ପ୍ରଶାସନ ମାନଙ୍କର ସହାୟତାରେ ନିଜ ଗ୍ରାମରୁ ସଦର ମହକୁମା ଏବଂ ସେଠାରୁ ବାଲେଶ୍ୱରର ପଦ୍ମାବତୀ ପାର୍କକୁ ଅପରାହ୍ନ ୨ଟା ସମୟରେ ଆସି ପହଞ୍ôଚବା ପରେ ସେଠାରେ ସେମାନଙ୍କର ପଞ୍ଜିକରଣ କରାଯାଇ ଭବ୍ୟ ସ୍ୱାଗତ କରାଯିବ । ଯାତ୍ରା ଦିନ ବାଲେଶ୍ୱର ଜିଲା ପ୍ରଶାସନ ବ୍ୟବସ୍ଥାରେ ତୀର୍ଥଯାତ୍ରୀମାନଙ୍କୁ ଷ୍ଟେସନ ଅଣାଯାଇ ପାରମ୍ପରିକ ନୃତ୍ୟ ବାଦ୍ୟ ମଧ୍ୟରେ ସେମାନଙ୍କର ବିଦାୟ କରାଯିବ । ଏହି ତୀର୍ଥଯାତ୍ରାର ଅବଧି ୫ ରାତ୍ରି ୬ ଦିନ ମଧ୍ୟରେ ସୀମିତ ଅଟେ ।
ସୂଚନା ଯୋଗ୍ୟ ଯେ, ରାଜ୍ୟରେ ଆର୍ଥିକ ଅନଗ୍ରସର ଓ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କର ଆଧ୍ୟାତ୍ମିକ ଆକାଂକ୍ଷା ପୂରଣ ନିମନ୍ତେ ରାଜ୍ୟ ସରକାର ୨୦୧୬ ମସିହାରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରଣୟନ କରି ସେମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପ୍ରଦାନ କରିଆସୁଛନ୍ତି । ଏହି ଯୋଜନାରେ ୬୦ ରୁ ୭୫ ବର୍ଷ ବୟସ୍କ ନାଗରିକମାନଙ୍କୁ ଜାତି ଧର୍ମ ନିର୍ବିଶେଷରେ ଚୟନ କରାଯାଉଛି । ଏହି ଯୋଜନା ଅଧୀନରେ ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ୧୦ଟି ଯାତ୍ରା ମଧ୍ୟରୁ ଏହା ହେଉଛି ଅନ୍ତିମ ଯାତ୍ରା ।