ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ “ନୂଆ-ଓ’ ଉଦ୍ଯାପିତ
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ବ୍ଲକ ନୂଆପାଢ଼ୀ ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଥିବା ନୂଆ-ଓ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି । ତିନୋଟି ପ୍ରମୁଖ ବର୍ଗରେ ବିଭାଜିତ ହୋଇ ଏହି କାର୍ଯ୍ୟକ୍ରମ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆଦୃତ ହେବା ସହ ଏହା ସେମାନଙ୍କ ବ୍ୟକ୍ତିଗତ ବିକାଶ ଓ ସଫଳତାର ପ୍ରେରଣାଦାୟୀ ହୋଇଥିଲା ।
ଉଦ୍ଯାପନୀ ସମାରୋହରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ ଅଧ୍ୟକ୍ଷତା କରି ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଏହି ପ୍ରତିଯୋଗିତାମୂଳକ ମନୋଭାବ ରହିବା ସହ ବିଶ୍ୱବିଦ୍ୟାଳୟର ପରିଚୟ ସୃଷ୍ଟିରେ ଯୋଗଦାନ ରହିବା ନେଇ ପ୍ରକାଶ କରିଥିଲେ । କୁଳସଚିବ କୁକୁମୀନା ଦାସ ଓ ନୂଆ-ଓ କାର୍ଯ୍ୟକ୍ରମର ନୋଡ଼ାଲ ଅଫିସର ପ୍ରଫେସର ଡ. ସୂର୍ଯ୍ୟେନ୍ଦୁ କୁମାର ଦେ ଉପସ୍ଥିତ ରହି ଏହିପ୍ରକାର କାର୍ଯ୍ୟକ୍ରମ ଛାତ୍ରୀଛାତ୍ରଙ୍କ ବ୍ୟକ୍ତିତ୍ୱ ବିକାଶ ସହ ଅନ୍ତର୍ନିହିତ ଗୁଣରେ ସହାୟକ ହୋଇପାରିଛି ବୋଲି କହିବା ସହ କମିଟିର ସଦସ୍ୟଙ୍କୁ ଧନ୍ୟବାଦ ଦେଇଥିଲେ । ସାମାଜିକ, ସାଂସ୍କୃତିକ ଓ କ୍ରୀଡ଼ା ବର୍ଗର ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁ ଭାବେ ସମ୍ପାଦନ କରିଥିବା ସଂଯୋଜକ ଡ. ଅମୂଲ୍ୟ କୁମାର ଆଚାର୍ଯ୍ୟ, ଡ. ଅସୀମ ଅମିତାଭ ପ୍ରଧାନ ଓ ଡ. ଭାସ୍କର ବେହେରାଙ୍କୁ କୁଳପତି ତଥା ନୋଡ଼ାଲ ଅଫିସର ଧନ୍ୟବାଦ ଅର୍ପଣ କରିଥିଲେ ।
ପ୍ରାୟ ୪୬ଟି ମହାବିଦ୍ୟାଳୟର ୪୫୦ ଜଣ ଛାତ୍ରୀଛାତ୍ର କ୍ରୀଡ଼ାରେ ଅଂଶଗ୍ରହଣ କରଥିବା ବେଳେ ୫୩୦ ଜଣ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଅନ୍ତଃମହାବିଦ୍ୟାଳୟ ସହ ଜିଲାସ୍ତରରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସଫଳତାକୁ ମଧ୍ୟ ପ୍ରଶଂସା କରାଯାଇଥିଲା । ତିନୋଟି ବର୍ଗରେ ପ୍ରାୟ ୧୫୦୦ରୁ ଅଧିକ ଛାତ୍ରୀଛାତ୍ରଙ୍କ ଅଂଶଗ୍ରହଣ ନେଇ ସୂଚୀତ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରଙ୍କୁ ମାନପତ୍ର ପ୍ରଦାନ ସହ ସମ୍ମାନିତ କରାଯାଇଥିଲା । ଏଥିସହ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ସଫଳ ରୂପାୟନରେ ସହଯୋଗ କରିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମାରୋହରେ ସମ୍ମାନୀତ କରାଯାଇଥିଲା ।