ବାଲେଶ୍ୱରରେ ଆରମ୍ଭ ହେଲା ପାଣି ପଞ୍ଚାୟତ ପକ୍ଷ ପାଳନ : ୧୨ଟି ବ୍ଲକ ପାଇଁ ଗଡ଼ିଲା ସଚେତନତା ରଥ
ବାଲେଶ୍ୱର : ବାଲେଶ୍ୱରରେ ଆରମ୍ଭ ହୋଇଛି ପାଣି ପଞ୍ଚାୟତ ପକ୍ଷ ପାଳନ । ଏହି ପରିପ୍ରେକ୍ଷୀରେ ମଧ୍ୟମ ଜଳସେଚନ ଡିଭିଜନ କାର୍ଯ୍ୟାଳୟ ପରିସରରେ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ପାଣି ପଞ୍ଚାୟତ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ରଥ ଆସନ୍ତା ୩୦ ତାରିଖ ଯାଏଁ ଜିଲାର ୧୨ଟି ବ୍ଲକରେ ବିଭିନ୍ନ ଜଳସେଚନ ଡିଭିଜନ ଅଞ୍ଚଳ ଗସ୍ତ କରି ଚାଷୀମାନଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପ୍ରସାର କରିବ । ଏଥିସହିତ ବିଭିନ୍ନ ପାଣି ପଞ୍ଚାୟତର ଚାଷୀମାନଙ୍କ କ୍ଷୁଦ୍ର ସଭା ଆୟୋଜନ କରି ସେମାନଙ୍କୁ ଜଳର ଉତ୍ତମ ବିନିଯୋଗ, ଜଳ ସଂରକ୍ଷଣ, ଜଳର ଗୁଣବତ୍ତା, ନୂତନ ଜ୍ଞାନକୌଶଳର ପ୍ରୟୋଗ, ଶେଷ ମୁଣ୍ଡରେ ଥିବା ଚାଷୀଙ୍କ ଚାଷ ଜମିକୁ ଜଳଯୋଗାଣ, କେନାଲର ରକ୍ଷଣାବେକ୍ଷଣ ଉପରେ ସଚେତନତା ସୃଷ୍ଟି କରିବା ଏହି ରଥର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।
ମଧ୍ୟମ ଜଳସେଚନ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ଇଂ ସୁଶୀଲ କୁମାର ବିଶ୍ୱାଳ ଯାଗଦେଇ ଏହି ରଥ ଚାଷୀମାନଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା ବାର୍ତ୍ତା ପ୍ରଦାନ କରାଯିବ । ପାଣି ପଞ୍ଚାୟତ ପକ୍ଷ ପାଳନ ନିମନ୍ତେ ଉଠା ଜଳସେଚନ ବିଭାଗ ପକ୍ଷରୁ ବ୍ୟାପକ ପ୍ରଚାର ପ୍ରସାର ପାଇଁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରବନ୍ଧ, ବକ୍ତୃତା ପ୍ରତିଯୋଗିତା ଆଦି ଆୟୋଜନ କରି ବିଜେତାଙ୍କୁ ରାଜ୍ୟସ୍ତରରେ ପୁରସ୍କୃତ କରାଯିବ । ଏହା ଛଡ଼ା ଶ୍ରେଷ୍ଠ ଚାଷୀ ମନୋନୟନ କରାଯିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ବିଶେଷ ଭାବେ କମ୍ ପାଣିରେ ଉନ୍ନତ କିସମର ଫସଲ ଉତ୍ପାଦନ କ୍ଷେତ୍ରରେ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ଏହି ରଥ ଜନ ସଚେତନତା ସୃଷ୍ଟି କରିବ ବୋଲି କହିଥିଲେ । ରଥ ଶୁଭାରମ୍ଭ ବେଳେ ବିଭାଗୀୟ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଇଂ. ଅଜୟ କୁମାର ମିଶ୍ର, ଇଂ. ଜୟାନନ୍ଦ ଜେନା ଓ ଇଂ. ନିମାଇ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କୃତିବାସ ପଟ୍ଟନାୟକ, ଅଜୟ କୁମାର ମହାନ୍ତି, ସସ୍ମିତା ଦାସ, କୌଶିକ ରାୟ, ରମେଶ ଚନ୍ଦ୍ର ଦାସ ପ୍ରମୁଖ ମଧ୍ୟମ ଜଳସେଚନ ଡିଭିଜନ କାର୍ଯ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ ।