ଆଜି ସୃଷ୍ଟି ହେବ ଲଘୁଚାପ, ୨୯ରେ ନେବ ଅବପାତର ରୂପ; ଓଡ଼ିଶାରେ ନାହିଁ ବାତ୍ୟା ପ୍ରଭାବ
ଭୁବନେଶ୍ୱର : ଆଜି ସୃଷ୍ଟି ହେବ ଲଘୁଚାପ । ଦକ୍ଷିଣ ଆଣ୍ଡାମାନ ସାଗର ପାଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ ସମ୍ଭାବ୍ୟ ଲଘୁଚାପ । ଆହୁରି ଘନୀଭୂତ ହୋଇ ୨୯ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ନେଇପାରେ ଅବପାତର ରୂପ । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବା ଆଶଙ୍କା ରହିଛି।
ଯଦି ଲଘୁଚାପଟି ବାତ୍ୟାର ରୂପ ନିଏ ତେବେ କେଉଁଠି ଲ୍ୟାଣ୍ଡଫଲ୍ କରିବ ତାକୁ ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। ସାଇକ୍ଲୋନ୍ ନାଁ ରହିବ ମିଚାଉଙ୍ଗ । କିଛି ମଡେଲ ବାତ୍ୟାଟି ବାଂଲାଦେଶରେ ଲ୍ୟାଣ୍ଡଫଲ କରିବା ନେଇ ଆକଳନ କରୁଥିବାବେଳେ କିଛି ମଡେଲ ଏହା ଆନ୍ଧ୍ର ଉପକୂଳ ଆଡକୁ ଯିବା ନେଇ ଆକଳନ କରୁଛନ୍ତି। ତେବେ ଓଡ଼ିଶା ଉପରେ କୌଣସି ସିଧାସଳଖ ପ୍ରବାବ ନ ପଡିବା ନେଇ ଅଧିକାଂଶ ମଡେଲ ଇଙ୍ଗିତ ଦେଇଛନ୍ତି।
୨୮ ତାରିଖରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁାମାନ କରିଛି । ଆଜି ପାଗ ଶୁଖିଲା ରହିବ । ସେହିପରି ଆସନ୍ତା ୪ରୁ ୫ ଦିନ ଯାଏ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ବୋଲି କୁହାଯାଇଛି । ରବିବାର କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୨.୫ ଓ ଦାରିଙ୍ଗିବାଡ଼ିରେ ୧୩.୫ ଡିଗ୍ରୀ ଥିଲା । ରାଜ୍ୟର କିଛି ସ୍ଥାନରେ ଏବେ ଶୀତ ଅନୁଭୂତ ହେଲାଣି । ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ପାଗ ମଧ୍ୟ ଶୁଷ୍କ ରହିବ । ଦିନରେ ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରୀ ମଧ୍ୟରେ ରହିବ ।