ବାଲେଶ୍ୱର : ଜିଲାପାଳଙ୍କ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ, ୫ଟି କାର୍ଯ୍ୟର କଲେ ତଦାରଖ
ବସ୍ତା : ବାଲେଶ୍ୱର ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ବୁଧବାର ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି । ନୂତନ ୫ଟି ବିଲ୍ଡିଂ କାମର ତଦାରଖ କରିବା ସହ ଉନ୍ନତ ସ୍ୱାସ୍ଥ୍ୟସେବା ଓ ଭିତ୍ତିଭୂମି ବିକାଶ ଉପରେ ସିଡିଏମ୍ଓ ଡା ଦୁଲାଳସେନ ଜଗଦେବ, ମେଡିକାଲ ଅଫିସର ଡା ଦେବବ୍ରତ ଜେନା, ତହସିଲଦାର ରାଧାରଞ୍ଜନ ଦାସ, ବିଡ଼ିଓ ସତ୍ୟଜିତ ମହାନ୍ତି ଓ ଆର୍ଡ଼ି ସୁପରଟେଣ୍ଡିଙ୍ଗ ଇଞ୍ଜିନିୟର ତପନ କୁମାର ବେହେରାଙ୍କ ସହ ଆଲୋଚନା କରିଛନ୍ତି । ପୂର୍ବରୁ ପୁରୁଣା ଡାକ୍ତରଖାନା ବିଲ୍ଡିଂକୁ ଭଙ୍ଗା ଯବା ସହ ରାସ୍ତା ପାର୍ଶ୍ୱରୁ କେତେକ ଜବର ଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଥିଲା । ମାତ୍ର ଅନ୍ୟ ଜବରଦଖଲକାରୀଙ୍କୁ ଏଯାଏଁ ଉଚ୍ଛେଦ ହୋଇ ନ ଥିବାରୁ ଉଚ୍ଛେଦ ପ୍ରକ୍ରିୟାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଲାଗି ତହସିଲଦାରଙ୍କୁ ଜିଲାପାଳ ତାଗିଦ୍ କରିଥିଲେ ।
ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ଭେଟି ପୁରୁଣା ବିଲ୍ଡିଂର ଭଗ୍ନାବଶେଷ ସ୍ଥାନକୁ ଫାଙ୍କା ରଖି ଭବିଷ୍ୟତରେ ସୁପର ସ୍ପେଶାଲିଟି ହସ୍ପିଟାଲ ନିର୍ମାଣ ଓ ଛୋଟ ଛୋଟ ଗଛ ଲଗାଇ ବଗିଚା ସୃଷ୍ଟି, ବସ୍ତା ବଜାରରୁ ହସ୍ପିଟାଲ୍ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ, ନୂତନ ହସ୍ପିଟାଲ୍ ବିଲ୍ଡିଂ ଗୃହ ସମ୍ମୁଖରେ ଆହାର କେନ୍ଦ୍ର ସ୍ଥାପନା, ପ୍ରତୀକ୍ଷାଳୟ ଓ ଲିଫ୍ଟ ଚଳାଚଳ ହେବା ନେଇ ଆଲୋଚନା କରିଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକ, ବାଉଣ୍ଡାରୀ ୱାଲ ନିର୍ମାଣ, ଡ୍ରେନେଜ୍ ବ୍ୟବସ୍ଥା, ଆଉଟଡୋର ସୁବିଧା ସମ୍ପର୍କରେ ଆଲୋଚନା ସହ ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ । ଏହାପରେ ଏହିସବୁ ପ୍ରସ୍ତାବ ଉପରେ ଯୋଜନା ପ୍ରସ୍ତୁତ କରିବାକୁ ଉପସ୍ଥିତ ଅଧିକାରୀଙ୍କୁ କହିଥିଲେ । ବିଜେଡି ବ୍ଲକ ସଭାପତି ଅନୀଲ କୁମାର ମହାନ୍ତି, ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ସୁମିତ କୁମାର ମିଞ୍ଜ, କନିଷ୍ଠ ଯନ୍ତ୍ରୀ ଉମାଶଙ୍କର ବେହେରା, ବ୍ଲକ ଏଇଇ କୁଇଲୁ ଟୁଡୁ, ବିପିସି ଅରବିନ୍ଦ ଦିନ୍ଦା, ସମାଜସେବୀ ଚିନ୍ମୟ କୁମାର ଶତପଥୀଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।