ବାଲେଶ୍ୱର : ଦୁର୍ଗାପୂଜା ଉପଲକ୍ଷେ ଶାନ୍ତି କମିଟି ବୈଠକ, ଶବ୍ଦ ନିୟନ୍ତ୍ରଣ ଉପରେ ଯତ୍ନବାନ ହେବାକୁ ପରାମର୍ଶ
ବାଲେଶ୍ୱର : ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଆସନ୍ତା ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ଏକ ଶାନ୍ତି କମିଟି ବୈଠକ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ବିଧାୟକ ସ୍ୱରୁପ କୁମାର ଦାସ ଯୋଗଦେଇଥିବା ବେଳେ ଜିଲା ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ, ଉପ-ଜିଲାପାଳ କୁନାଲ ମୋତିରାମ ଚଭନ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଦୁଲାଲ ସେନ ଜଗଦ୍ଦେବଙ୍କ ସମେତ ବିଭିନ୍ନ ପୂଜା କମିଟିର ସଦସ୍ୟ, ପୋଲିସ, ବିଭାଗୀୟ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଜିଲା ଗୁଇନ୍ଦା ଡିଏସ୍ପି ବ୍ରଜେଶ୍ୱରୀ ବଳ ପୂର୍ବ ବର୍ଷର ବିବରଣୀ ପାଠ କରିବା ସହିତ ବିଭିନ୍ନ ନିୟମାବଳୀ ସମ୍ପର୍କରେ ସଭାକୁ ସୂଚନା ଦେଇଥିଲେ ।
ଦୁର୍ଗାପୂଜା ଲାଗି ବାଲେଶ୍ୱର ସହରରେ ପ୍ରାୟ ୯୬ଟି ମେଢ଼ ନିର୍ମିତ ହେବାକୁ ଥିବା ବେଳେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଏବଂ ଜିଲା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଦୁର୍ଗାପୂଜା ଅବସରରେ ମହାଷଷ୍ଠୀ ପୂଜା ଅକ୍ଟୋବର ୨୦ ତାରିଖରେ ଆରମ୍ଭ ହେବାକୁ ଥିବା ବେଳେ ଅକ୍ଟୋବର ୨୪ ତାରିଖ ଦିନ ଦଶହରା ପୂଜା ଅନୁଷ୍ଠିତ ହେବ । ୨୨ ତାରିଖ ବୀରାଷ୍ଟମୀରେ ଓ ୨୪ ତାରିଖ ଦଶହରା ଦିନ ଆଖଡ଼ା ଶୋଭାଯାତ୍ରା ଅନୁଷ୍ଠିତ ହେବ ଯେଉଁଥିରେ ପ୍ରଶାସନ ସ୍ଥିର କରିଥିବା ସମୟରେ ଏହା ସମାପନ କରିବାକୁ ନିବେଦନ କରାଯାଇଛି ଓ ୨୫ ତାରିଖ ଭସାଣୀ ଯାତ୍ରା ନିଜନିଜର କ୍ରମାଙ୍କ ଅନୁଯାୟୀ ଅନୁମୋଦିତ ସମୟ ମଧ୍ୟରେ ଶୋଭାଯାତ୍ରା ସାରି ମୂର୍ତ୍ତି ବିସର୍ଜନ କରିବେ । ସେହିପରି ବାଡ଼ି ଖେଳରେ ଯେପରି ତୀକ୍ଷ୍ଣ ଧାରଯୁକ୍ତ ଖଣ୍ଡା, ଅସ୍ତଶସ୍ତ୍ର ବ୍ୟବହାର ନ ହୁଏ ସେଥିପାଇଁ କମିଟିଗୁଡିକ ଯତ୍ନବାନ ହେବା ସହ ପୋଲିସ ତନଖି କରିବାକୁ ମତପ୍ରକାଶ ପାଇଥିଲା । ଏହି ସମୟ ମଧ୍ୟରେ ଆଇନଶୃଙ୍ଖଳା ଏବଂ ଟ୍ରାଫିକ ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଛି । ଭସାଣୀ ଯାତ୍ରା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସାରିବାକୁ ଏବଂ ଡି.ଜେ ମ୍ୟୁଜିକ ସିଷ୍ଟମ ଉପରେ କଟକଣା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା । ତୋରଣର ଉଚ୍ଚତା ମେଢ଼ ଠାରୁ ଅଧିକ ରହିବ, ମାତ୍ର ସୁରକ୍ଷିତ ଉଚ୍ଚତା ମଧ୍ୟରେ ରହିବ ।
ବାଲେଶ୍ୱର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ସିଙ୍ଗଲ ଓି୍ୱଣ୍ଡୋ ମାଧ୍ୟମରେ ପୂଜା କମିଟିମାନଙ୍କୁ ସମସ୍ତ ପ୍ରକାର ଅନୁମତି ପତ୍ର ଏବଂ ଆପତ୍ତି ବିହୀନ ପ୍ରମାଣପତ୍ର ଯୋଗାଇ ଦିଆଯିବ । ସିଙ୍ଗଲ ଓି୍ୱଣ୍ଡୋ ଲାଗି ଆସନ୍ତା ଅକ୍ଟୋବର ୧୨,୧୩,୧୪ ତାରିଖରେ ଆବେଦନ କରିହେବ । ସୁରକ୍ଷା ଲାଗି ସମସ୍ତ ପୂଜାମଣ୍ଡପରେ ଅଗ୍ନି ନିର୍ବାପକ ଯନ୍ତ୍ର ରଖିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା । ପୂଜା ସମୟରେ ବିଭିନ୍ନ ଜାଗାରେ ବିକ୍ରି ହେଉଥିବା ଖାଦ୍ୟ ପଦାର୍ଥର ମାନକୁ ଯାଞ୍ଚ କରାଯିବା ଲାଗି ଜିଲ୍ଲାପାଳ ଶ୍ରୀ ଶିନ୍ଦେ ବିଭାଗୀୟ ଅଧିକାରୀଙ୍କୁ ନିଦ୍ରେ୍ଦଶ ଦେଇଥିଲେ । ଆଖଡା ଖେଳ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ନିର୍ଦ୍ଧାରିତ ସମୟରେ ଏହାକୁ ଆରମ୍ଭ ଓ ଶେଷ କରିବା, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ରାସ୍ତାଘାଟ ମରାମତି, ମାଦକ ଦ୍ରବ୍ୟ ନିଷେଧ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ସମ୍ପର୍କରେ ଏହି ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା । ବିଶେଷ କରି ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ବୈଠକରେ ମତାମତ ପ୍ରକାଶ ପାଇଥିବା ବେଳେ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ଶବ୍ଦର ତୀବ୍ରତା ୬୫ଡେସିବଲ ମଧ୍ୟରେ ସୀମିତ ରହିବ ଏବଂ ଏହାର ଉଲ୍ଲଙ୍ଘନ ହେଲେ ଆଇନ ଅନୁଯାୟୀ ପଦେକ୍ଷପ ନିଆଯିବ । ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ଅନ୍ୟାନ୍ୟ କଟକଣାକୁ ମଧ୍ୟ ପୂଜା କମିଟିମାନଙ୍କୁ ମାନିବାକୁ ପଡିବ । ସ୍ଥାନୀୟ ପ୍ରଶାସନ ଦ୍ୱାରା ଚିହ୍ନଟ ହୋଇଥିବା କୃତ୍ରିମ ଜଳାଶୟ ଯଥା ବାଲିଘାଟ ଓ ନୁନିଆଯୋରିରେ ମୂର୍ତ୍ତି ବିସର୍ଜନ କରାଯିବ । ଶୂନ୍ୟଶବ୍ଦ ଅଞ୍ଚଳରେ ଶୋଭାଯାତ୍ରା ଗଲାବେଳେ କୌଣସି ଶବ୍ଦ ଯେପରି ନ ହୁଏ ତାହା ପୂଜା କମିଟି ମାନେ ନିଶ୍ଚିତ କରିବେ । ମେଢ଼ ଗୁଡ଼ିକରେ ସି.ସି.ଟି.ଭି ଲଗାଇବା ପାଇଁ ପୂଜା କମିଟି ସଦସ୍ୟମାନଙ୍କୁ ଜିଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି ଓ ଆସନ୍ତା ଦୁର୍ଗାପୂଜାକୁ ଆନନ୍ଦ ଉଲ୍ଲାସ ତଥା ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ ଜିଲାପାଳ ଶ୍ରୀ ଶିନ୍ଦେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।