ବାଲେଶ୍ୱର : ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ରାଜ୍ୟ ଆଇସିଆର୍ପି ମହିଳା ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
- ସ୍ଥାୟୀ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ବାଲେଶ୍ୱର : ବାଲେଶ୍ୱର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଓଡ଼ିଶା ରାଜ୍ୟ ଆଇସିଆର୍ପି ମହିଳା ସଂଘ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂଘର ରାଜ୍ୟ ସଭାନେତ୍ରୀ ସରସ୍ୱତୀ ଜେନା ଓ ସମ୍ପାଦିକା ସୁନୀତା ଜାଲି ଯୋଗଦେଇ ଓଡିଶା ଜୀବିକା ମିଶନ ଅଧୀନରେ କାର୍ଯ୍ୟରତ ଇଣ୍ଟର କମ୍ୟୁନିଟି ରିସୋର୍ସ ପର୍ସନ (ଆଇସିଆର୍ପି)ମାନଙ୍କ ପ୍ରତି ସରକାରୀ ଉଦସୀନତାକୁ ତୀବ୍ର ସମାଲୋଚନା କରିଥିଲେ । ଗତ ୨୦୧୫ ଠାରୁ ଆରମ୍ଭ ହୋଇଥିବା ବ୍ୟବସ୍ଥାରେ ମହିଳାମାନଙ୍କୁ ସଂଗଠିତ କରି ନୂତନ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରତିଷ୍ଠା ସହିତ ବନ୍ଦ ହେଉଥିବା ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ପୂର୍ବକ ପୁନଃ କାର୍ଯ୍ୟକ୍ଷମ କରାଇବାରେ ଆଇସିଆର୍ପିମାନେ ମୁଖ୍ୟ ଭୂମିକା ଗ୍ରହଣ କରିଆସୁଛନ୍ତି । ଏଥିସହିତ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ କମ୍ୟୁନିଟି ଲେଭେଲ ଫେଡ଼େରେସନ (ସିଏଲଏଫ), ଗ୍ରାମ ପଞ୍ଚାୟତ ଲେଭେଲ ଫେଡ଼େରେସନ (ଜିପିଏଲଏଫ) ପ୍ରଭୃତି ଗଠନରେ ମଧ୍ୟ ଆସିଆର୍ପିମାନେ ପ୍ରମୁଖ ଦାୟିତ୍ୱ ନିର୍ବାହ କରନ୍ତି । ମାତ୍ର ସମ୍ପ୍ରତି ସରକାରଙ୍କ ଦ୍ୱାରା ଜୀବିକା ମିଶନ କାର୍ଯ୍ୟକ୍ଷମ ହେବା ପରେ ଆଇସିଆର୍ପିମାନେ ସେମାନଙ୍କ କାର୍ଯ୍ୟ ହରାଇ ବସିଛନ୍ତି ବୋଲି ସଂଘର କର୍ମକର୍ତ୍ତାମାନେ ଆରୋପ ଉଠାଇଛନ୍ତି । ଫଳରେ ସେମାନଙ୍କ ଆର୍ôଥକ ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡୁଥିବା ନେଇ ପ୍ରକାଶ କରିଛନ୍ତି ।
ପଞ୍ଚାୟତସ୍ତରରେ ସୋସିଆଲ ଅଡ଼ିଟର ପଦବୀ ସୃଷ୍ଟି ମାଧ୍ୟମରେ ଆଇସିଆର୍ପିମାନଙ୍କୁ ନିଯୁକ୍ତି ପ୍ରଦାନ, ପୂର୍ବରୁ ଆଇସିଆର୍ପିମାନଙ୍କୁ ପ୍ରଦାନ ହେଉଥିବା ମାସେ କିମ୍ବା ଦୁଇ ମାସର କାର୍ଯ୍ୟ ପରିବର୍ତ୍ତେ ୩୬୫ଦିନ କାର୍ଯ୍ୟରେ ନିଯୁକ୍ତି ପ୍ରଦାନ, ଆଇସିଆର୍ପିମାନଙ୍କୁ ସିଧାସଳଖ କୃଷିମିତ୍ର ଅଥବା ପ୍ରାଣୀମିତ୍ର ପଦବୀରେ ନିଯୁକ୍ତି ପ୍ରଦାନ, ପଞ୍ଚାୟତ ବା ବ୍ଲକସ୍ତରରେ ସମସ୍ତ ସରକାରୀ କାର୍ଯ୍ୟରେ ଆଇସିଆର୍ପିମାନଙ୍କୁ ଅଗ୍ରାଧିକାର, ତାଲିମପ୍ରାପ୍ତ ଆଇସିଆର୍ପିମାନଙ୍କୁ ମିଶନ ଶକ୍ତି ବିଭାଗର ଜୀବିକା ମିଶନ ଅଧୀନରେ କାର୍ଯ୍ୟ ପ୍ରଦାନ ସହିତ କମ୍ୟୁନିଟି କ୍ୟାଡ଼ରର ମାନ୍ୟତା ପ୍ରଦାନ ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି । ଏ ନେଇ ସଂଘର ଏକ ପ୍ରତିନିଧି ଦଳ ଜିଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।