ବାଲେଶ୍ୱର : ଜିଲାସ୍ତରୀୟ ଝୋଟି ପ୍ରତିଯୋଗିତା, ଅଂଶଗ୍ରହଣ କଲେ ୪୫ରୁ ଉର୍ଦ୍ଧ୍ୱ ମହିଳା ଓ ଯୁବତୀ
ବାଲେଶ୍ୱର : ବାଲେଶ୍ୱର ଜିଲା ସ୍କୁଲ ପରିସରରେ ଆସନ୍ତା ସ୍ୱାଧୀନତା ଦିବସ ଉପଲକ୍ଷେ ‘ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ କ୍ରାଫ୍ଟ ଫର ଓମେନ୍’ ଓ ଜିଲା ପ୍ରଶାସନର ମିଳିତ ସହଯୋଗରେ ଜିଲାସ୍ତରୀୟ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ସହର ସମେତ ଆଖପାଖ ଅଞ୍ଚଳରୁ ୪୫ରୁ ଉର୍ଦ୍ଧ୍ୱ ମହିଳା ଓ ଯୁବତୀ ଏଥିରେ ଅଂଶଗ୍ରହଣ କରିଥିଲେ ।
କାର୍ଯ୍ୟକ୍ରମରେ ଅତିଥି ଭାବେ ସଦର ସିଡିପିଓ ସାଗରିକା ଦତ୍ତ, ଜିଲା ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ସୂର୍ଯ୍ୟକାନ୍ତି ମହାନ୍ତି, ମିଶନ ଶକ୍ତି ବାଲେଶ୍ୱର ମ୍ୟୁନିସିପାଲିଟି ପ୍ରକଳ୍ପ ପରିଚଳିକା ଶକ୍ତିପ୍ରିୟା ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ । ମିଶନ ଶକ୍ତି ସଦର ବ୍ଲକ ପ୍ରକଳ୍ପ ପରିଚାଳିକା ପ୍ରିୟଦର୍ଶିନୀ ଆଚାର୍ଯ୍ୟ, ଚିତ୍ରଶିଳ୍ପୀ ମରୁତ କୁମାର ରାଉତ ଓ ପ୍ରକାଶ ମହାନ୍ତି ପ୍ରମୁଖ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ । ‘ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ କ୍ରାଫ୍ଟ ଫର ଓମେନ୍’ର ସଭାନେତ୍ରୀ ଅର୍ଚ୍ଚନା ନନ୍ଦୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ସମ୍ପାଦିକା ସରସ୍ୱତୀ ପଣ୍ଡା, ରାଜଲକ୍ଷ୍ମୀ ଚାଟାର୍ଜୀ, ବିନା ନନ୍ଦୀ, ପ୍ରମୁଖ ଏଥିରେ ଉପସ୍ଥିତ ରହି ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ।
ପ୍ରତିଯୋଗୀମାନେ ପାରମ୍ପରିକ ରୀତିରେ ଅରୁଆ ଚାଉଳ ପିଠଉରେ ଉତ୍କଳୀୟ ପ୍ରାଚୀନ କଳା ସଂସ୍କୃତିକୁ ବିଦ୍ୟାଳୟ ଚଟାଣରେ ଆଙ୍କିଥିଲେ । ଚଳିତ ବର୍ଷ ଲକ୍ଷ୍ମୀ ପାଦ ପୃଷ୍ଠଭୂମୀକୁ ନେଇ ସମସ୍ତେ ଝୋଟି ଅଙ୍କନ କରିଥିଲେ । ଏହି ପ୍ରତିଯୋଗିତାକୁ ନେଇ ମହିଳାଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା । ବୁଡ଼ି ଯାଉଥିବା ଓଡ଼ିଶାର ପ୍ରାଚୀନ କଳା ଓ ସଂସ୍କୃତିକୁ ଉଜ୍ଜୀବିତ କରିବା ଏବଂ ଉତର ପିଢ଼ିଙ୍କୁ ଏଥିପ୍ରତି ଆକର୍ଷିତ କରିବାରେ ଏହି ପ୍ରତିଯୋଗିତା ବେଶ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ପ୍ରତିଯୋଗୀମାନେ କହିଛନ୍ତି । ଏଥିରେ ଭାଗ ନେଇ ସେମାନେ ଆତ୍ମସନ୍ତୋଷ ପାଉଛନ୍ତି ବୋଲି ସେମାନେ ପ୍ରକାଶ କରିଛନ୍ତି । ବିଚାରକମାନଙ୍କ ନିଷ୍ପତ୍ତି କ୍ରମେ ଅନିମା ବେହେରା ପ୍ରଥମ, ନମିତା ପରିଡା ଦ୍ୱିତୀୟ, ରଜନୀ ମହତା ତୃତୀୟ ହୋଇଥିବା ବେଳେ ଝୁନୁରାଣୀ ବାରିକଙ୍କୁ ଶାନ୍ତ୍ୱନାମୂଳକ ପୁରସ୍କାର ପାଇଁ ଚୟନ କରାଯାଇଥିଲା । ଆସନ୍ତା ସ୍ୱାଧୀନତା ଦିବସରେ ବିଜୟନୀ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।