ବାଲେଶ୍ୱର : ସୋମନାଥପୁର ଠାରେ ଉଦ୍ଘାଟିତ ହେଲା ଜାଇକା ଡାଇରୀ ଫାର୍ମ ଓ ସୁଇଟ୍ସ
ବାଲେଶ୍ୱର : ବାଲେଶ୍ୱର ସହର ଉପକଣ୍ଠ ସୋମନାଥପୁର ଠାରେ ଜାଇକା ଡାଇରୀ ଫାର୍ମ, ମିଷ୍ଟାନ୍ନ ଓ ଦୁଗ୍ଧ ଜାତୀୟ ସାମଗ୍ରୀ ପ୍ରସ୍ତୁତି ଉଦ୍ୟୋଗ ଏବଂ ଜାଇକା ମିଷ୍ଟାନ ଷ୍ଟୋର (ସୁଇଟ୍ସ) ରବିବାର ଉଦ୍ଘାଟିତ ହୋଇଛି ।
ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ କାନାରା ବ୍ୟାଙ୍କର ଭଦ୍ରକ ଆଞ୍ଚଳିକ ଶାଖା ଏଜିଏମ୍ ପି ମଧୁସୁଦନ ରାଓ ଯୋଗଦେଇ ଏହାକୁ ଉଦ୍ଘାଟନ କରିବା ସହିତ ଏଭଳି ପ୍ରୟାସ ପାଇଁ ଜାଇକା କର୍ତ୍ତୃପକ୍ଷଙ୍କୁ ଅଭିନନ୍ଦନ ଜଣାଇଥିଲେ । ଗ୍ରାମାଞ୍ଚଳରେ ଛୋଟବଡ଼ ଉଦ୍ୟୋଗ ସ୍ଥାପନ ଦ୍ୱାରା ସମ୍ପୃକ୍ତ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ହେବା ନେଇ ଆଶା ପ୍ରକାଶ ସହ ଏହିଭଳି ଉଦ୍ୟୋଗ ପାଇଁ କାନାରା ବ୍ୟାଙ୍କ ସର୍ବଦା ପ୍ରୋତ୍ସାହନ ଜାରି ରଖିଛି ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ କାନାରା ବ୍ୟାଙ୍କ ବାଲେଶ୍ୱର ଶାଖାର ଚିଫ୍ ମ୍ୟାନେଜର ବିକାଶ ସାହୁ, ମୋତିଗଞ୍ଜ ଶାଖା ପରିଚାଳକ ଦେବେଶ କୁମାର ବାରିକ, ବ୍ୟାଙ୍କର ଆଇନ ପରାମର୍ଶଦାତା ଅମୂଲ୍ୟ କୁମାର ସିଂହ ପ୍ରମୁଖ ଯୋଗଦେଇ ଜାଇକା ଡାଇରୀ ଫାର୍ମ ଓ ସୁଇଟ୍ସର ସଫଳତା କାମନା କରିଥିଲେ ।
ଜାଇକାର ମୁଖ୍ୟ ବିଶାଞ୍ଜଳୀ ପ୍ରଧାନ ଓ ସୁଦର୍ଶନ ପ୍ରଧାନ ପୌରହିତ୍ୱ କରିବା ସହିତ ଜାଇକା ଡାଇରୀ ଫାର୍ମ ଓ ସୁଇଟ୍ସ ପ୍ରତିଷ୍ଠାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ପୂର୍ବରୁ ବାଲେଶ୍ୱର ସହରରେ ପରିଚାଳିତ ଜାଇକା ଇଣ୍ଟରନ୍ୟାସନାଲ ହୋଟେଲ ଏବଂ ଜାଇକା ରେଷ୍ଟୁରାଂଟର ଅଭିଜ୍ଞତାକୁ ନେଇ ରାସାୟନିକ ପଦାର୍ଥ ବିହୀନ ଦୁଗ୍ଧ ଓ ଦୁଗ୍ଧଜାତୀୟ ସାମାଗ୍ରୀ ବଜାରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ନୂତନ ଉଦ୍ୟୋଗ ସ୍ଥାପନ କରାଯାଇଛି । ସମସ୍ତ ସାମଗ୍ରୀ ହାଇଜେନିକ ଉପାୟରେ ପ୍ରସ୍ତୁତ କରାଯିବ । ଆଗାମୀ ଦିନରେ ଜାଇକାର ଫ୍ରାଞ୍ଚାଇଜ୍ ଷ୍ଟୋର ମାଧ୍ୟମରେ ଜିଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମିଷ୍ଟାନ୍ନ ଯୋଗାଇବା ନେଇ ଲକ୍ଷ୍ୟ ରହିଥିବାର ସୂଚନା ଦେଇଥିଲେ । ଜାଇକାର ଅନ୍ୟତମ ସହଯୋଗୀ ପ୍ରଣବ କୁମାର ମହାପାତ୍ର ଯୋଗଦେଇ ନୂତନ ଡାଇରୀ ଫାର୍ମର କାର୍ଯ୍ୟଶୈଳୀ ସମ୍ପର୍କରେ ସୂଚନା ଦେଇ ଜାଇକାର ନିଜସ୍ୱ ଡାଇରୀ ଫାର୍ମ ସହିତ ଆଖପାଖ ଅଞ୍ଚଳର ଗୋପାଳକଙ୍କ ନିକଟରୁ ବିଶୁଦ୍ଧ ଦୁଗ୍ଧ ସଂଗ୍ରହ କରାଯାଇ ସେଥିରେ ଛେନା, ପନୀର, ଘିଅ ଓ ମିଷ୍ଟାନ୍ନ ପ୍ରଭୃତି ପ୍ରସ୍ତୁତ କରାଯିବ । ଏଥିପାଇଁ ଅତ୍ୟାଧୁନିକ ଅଟୋମେଟିକ ମେସିନ ବ୍ୟବହାର ସହ ଅଭିଜ୍ଞତା ସମ୍ପନ୍ନ କାରିଗର ନିଯୁକ୍ତ ହୋଇଛନ୍ତି ବୋଲି କହିଥିଲେ । ମନୋଜ ଜେନା ଓ ଲାଭା ପାଣ୍ଡେ ଉଦଘାଟନୀ ଉତ୍ସବ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।