ରାଷ୍ଟ୍ରପତିଙ୍କ ପରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମ୍ମାନିତ ହେଲେ ଢେଙ୍କାନାଳ ଜିଲାପାଳ; ଦକ୍ଷତାକୁ ନେଇ ବୁଦ୍ଧିଜୀବୀ ଓ ପ୍ରଶଂସକ ମହଲରେ ପ୍ରଶଂସା
ନୀଳଗିରି : ଭୂ-ସଂସ୍କାର ଓ ଜମିଜମା ରେକର୍ଡ଼ର କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମ୍ମାନୀତ ହେଲେ ଢେଙ୍କାନାଳ ଜିଲାପାଳ ସରୋଜ କୁମାର ସେଠୀ । ଏନେଇ ପୂର୍ବରୁ ସେ ରାଷ୍ଟ୍ରପତିଙ୍କ ଠାରୁ ମଧ୍ୟ ସମ୍ମାନିତ ହୋଇଥିଲେ ।
ସୂଚନା ଯେ, ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ତେନ୍ତୁଳିଆ ଗ୍ରାମର ଗୁରୁପ୍ରସାଦ ସେଠୀ ଓ ରାହାସମଣୀ ସେଠୀଙ୍କ ସନ୍ତାନ ତଥା ଏବର ଢେଙ୍କାନାଳ ଜିଲାପାଳ ସରୋଜ କୁମାର ସେଠୀ ଆଜି ଜଣେ ସଫଳ ବ୍ୟକ୍ତିତ୍ୱ । ଜିଲାପାଳ ଭାବରେ ଉଚ୍ଚ ପଦବୀରେ ରହି ନିଷ୍ଠାପର କାମ କରିବାର ଆଗ୍ରହ ତାଙ୍କୁ ଆଜି ଏତେ ବଡ଼ ସମ୍ମାନର ଅଧିକାରୀ କରିପାରିଛି । ଯାହାପାଇଁ କିଛି ଦିନ ପୂର୍ବରୁ ରାଷ୍ଟ୍ରପତିଙ୍କ ଠାରୁ ଓ ଏବେ ପୁଣି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ସମ୍ମାନିତ ହୋଇଛନ୍ତି । ଭୂ-ସଂସ୍କାର ଓ ଜମିଜମା ରେକର୍ଡ଼ର କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଭୂମି ସମ୍ମାନ-୨୦୨୩ରେ ସମ୍ମାନିତ ହୋଇଛନ୍ତି ସେ ଓ ତାଙ୍କ ଟିମ୍ । ଢେଙ୍କାନାଳ ଜିଲାପାଳ ଶ୍ରୀ ସେଠୀ ଓ ତାଙ୍କ ଟିମ୍କୁ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଭୂମୀ ସଂଶାଧନ ବିଭାଗ ପକ୍ଷରୁ ଭୂମି ସମ୍ମାନ-୨୦୨୩ ପ୍ଲାଟିନମ୍ ଆୱାର୍ଡ଼ରେ ସମ୍ମାନିତ ହୋଇଛନ୍ତି ।
ଏନେଇ ଜନ୍ମମାଟି ନୀଳଗିରିର ବୁଦ୍ଧିଜୀବୀ ଓ ପ୍ରଶଂସକ ମହଲରେ ତାଙ୍କ ଦକ୍ଷତାକୁ ନେଇ ବେଶ୍ ପ୍ରଶଂସା କରିଛନ୍ତି । ଶ୍ରୀ ସେଠୀ ସ୍କୁଲ ଶିକ୍ଷା ପରେ ବାଲେଶ୍ୱର ଏଫ୍ଏମ୍ କଲେଜରେ ଶିକ୍ଷାଲାଭ କରିଥିଲେ । ପରେ ବିଜେବି କଲେଜରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ବାଣୀବିହାରରେ ବ୍ୟକ୍ତିଗତ ପରିଚାଳନା (ପର୍ଶନାଲ ମେନେଜମେଣ୍ଟ) ଓ ଶ୍ରମ ମଙ୍ଗଳ ସହିତ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ୧୯୯୧ରୁ ଆରମ୍ଭ ହୋଇଥିଲା ତାଙ୍କ ଚାକିରୀ ଜୀବନ । ୧୯୯୯ ପ୍ରଳୟଙ୍କରୀ ମହାବାତ୍ୟା ସମୟରେ ବାଲେଶ୍ୱର ଜିଲାର ଜରୁରୀକାଳୀନ ଅଧିକାରୀ ଭାବରେ ଅବସ୍ଥାପିତ ଥାଇ ଦୃଢ଼ତାର ସହ ବାତ୍ୟା ମୁକାବିଲା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପରେ ବିଭିନ୍ନ ପଦବୀ ତଥା ଉଦଳା ଉପ-ଜିଲାପାଳ, ବାଲେଶ୍ୱରରେ ବିଡ଼ିଓ, ତହସିଲଦାର, କଟକରେ ସିଡ଼ିଏ ସେକ୍ରେଟାରୀ, ଜଙ୍ଗଲ ବିଭାଗ ଓ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ଶାସନ ସଚିବ, ଭୁବନେଶ୍ୱର ପାନୀୟ ବିଭାଗର ମ୍ୟାନେଜିଂ ଡାଇରେକ୍ଟର ପରେ ଏବେ ଢେଙ୍କାନାଳ ଜିଲାପାଳ ଭାବେ କାର୍ଯ୍ୟରତ ଅଛନ୍ତି ।