ବିଜ୍ଞାନ ଶିକ୍ଷୟିତ୍ରୀଙ୍କ ବଦଳିକୁ ବିରୋଧ : ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ, ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ
ରୂପସା : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପସା ସ୍ଥିତ ମହାପାତ୍ର ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଉତ୍ତେଜନା ଦେଖାଦେଇଛି । ଏହି ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ବେହେରାଙ୍କୁ ଅନ୍ୟ ବିଦ୍ୟାଳୟକୁ ଡେପୁଟେସନରେ ପଠାଯାଇଥିବାରୁ ବିଦ୍ୟାଳୟର ଛାତ୍ରୀଛାତ୍ର ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ବେହେରାଙ୍କୁ ଡେପୁଟେସନରେ ନ ପଠାଇବାକୁ ଦାବି କରିଥିଲେ । ଏ ସମ୍ପର୍କରେ ଛାତ୍ରୀଛାତ୍ର ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସରସ୍ୱତୀ ପ୍ରଧାନ ପହଞ୍ଚି ଛାତ୍ରୀଛାତ୍ରଙ୍କୁ ବୁଝାସୁଝା କରିଥିଲେ । ଏ ନେଇ ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କ ଅବଗତ କରାଇ ୭ଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବାର ପ୍ରତିଶ୍ରୁତି ଦେବାପରେ ଛାତ୍ରୀଛାତ୍ରଙ୍କ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଦାବି ପୂରଣ ନହେଲେ ପୁଣି ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି ।
ପ୍ରକାଶ ଯେ, ସ୍ଥାନୀୟ କସିପଦା ପଞ୍ଚାୟତ ହାଇସ୍କୁଲରେ କେବଳ ଜଣେ ଶିକ୍ଷକ ଥିବାରୁ ଉକ୍ତ ଶିକ୍ଷୟିତ୍ରୀଙ୍କୁ ସେଠାକୁ ଡେପୁଟେସନରେ ପଠାଯାଇଥିବା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।