ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ବେଶ, ୩ଘଣ୍ଟା ପାଇଁ ଦର୍ଶନ ସୁଯୋଗ
ପୁରୀ : ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏହି ପରିପ୍ରେକ୍ଷୀରେ ସୋମବାର ଶ୍ରୀମନ୍ଦିରରେ ନେତ୍ରୋତ୍ସବ। ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ । ୧୫ ଦିନର ଅନବସର ପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ନବଯୌବନରେ ଝଟକିବେ ଚତୁର୍ଦ୍ଧାମୂରତି ।
ବଡ଼ ଠାକୁର, କାଳିଆ ସାଆନ୍ତ, ଦେବୀ ସୁଭଦ୍ରା, ପ୍ରଭୁ ସୁଦର୍ଶନଙ୍କୁ ଦେଖିବାକୁ ବ୍ୟାକୂଳ ଭକ୍ତ। ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ । ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ପରିମାଣିକ ଟିକେଟ୍ ଦର୍ଶନ ପରେ ୯ଟାରୁ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ । ସକାଳ ୮ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଅର୍ଥାତ୍ ମାତ୍ର ୩ଘଣ୍ଟା ପାଇଁ ଶ୍ରୀମନ୍ଦିରରରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଭକ୍ତ । ଦିନ ୧୧ଟା ପରେ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ଘୋଷଯାତ୍ରା ପାଇଁ ଆରମ୍ଭ ହେବ ପ୍ରସ୍ତୁତି । ଏଥର ଉଭା ଯାତ୍ରା ପଡୁନଥିବାରୁ ଭକ୍ତମାନେ ଆଜି ଗୋଟିଏ ଦିନ ହିଁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିପାରିବେ ।
ସେହିଭଳି ଆଜି ରଥଖଳାରୁ ୩ ରଥ ଟଣାଯାଇ ସିଂହଦ୍ବାର ସାମ୍ନାକୁ ଅଣାଯିବ । ସେହିଭଳି ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁଣ୍ଡିଚା ଯାତ୍ରା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିବ । ରଥଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଥିବା ବେଳେ କୋଠସୁଆଁସିଆ ସେବାୟତମାନେ ରଥରେ କନା ମଣ୍ଡଣୀ କାର୍ଯ୍ୟ କରୁଛନ୍ତି ।
ଆଜି ମହାପ୍ରଭୁଙ୍କ ଚକା ଅପସର ନୀତି ସହ ଅନ୍ୟାନ୍ୟ ନୀତିକାନ୍ତି ହୋଇ ଭୋଗମଣ୍ଡପ ସରିବା ପରେ ତିନି ବାଡ଼ର ପୂଜାପଣ୍ଡା ସେବାୟତଙ୍କ ଦ୍ବାରା ଆଜ୍ଞାମାଳ ବିଜେ ହେବ । ଏହା ପରେ ରଥଖଳାରୁ ତିନି ରଥଙ୍କୁ ଶ୍ରୀମନ୍ଦିର ସିଂହଦ୍ବାର ଅଭିମୁଖେ ଟଣାଯିବ । ମଙ୍ଗଳବାର ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା କରିବେ ମହାପ୍ରଭୁ ଶ୍ରୀଜଗନ୍ନାଥ ।