ଆଇସ୍ ହକି ମହିଳା ଏସିଆ ଓ ଓସେନିଆ ପ୍ରତିଯୋଗିତା ଲାଗି ଅଫିଆଲ୍ ପାର୍ଟନର୍ ନିଯୁକ୍ତ ହେଲା ସ୍ପୋର୍ଟସ ସାଇନ୍ସ ଇଣ୍ଡିଆ
ଭୁବନେଶ୍ବର : ଭୁବନେଶ୍ବରରେ ଅବସ୍ଥାପିତ ସ୍ପୋର୍ଟସ ସାଇନ୍ସ ଇଣ୍ଡିଆକୁ ମିଳିଛି ଆଉ ଏକ ଗୁରୁ ଦାୟିତ୍ବ। ଥାଇଲାଣ୍ଡ୍ର ବ୍ୟାଙ୍କକ୍ରେ ଏପ୍ରିଲ୍ ୩୦ ତାରିଖରୁ ମେ’ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଆଇସ୍ ହକି ମହିଳା ଏସିଆ ଓ ଓସେନିଆ ପ୍ରତିଯୋଗିତା ଲାଗି ସ୍ପୋର୍ଟସ ସାଇନ୍ସ ଇଣ୍ଡିଆକୁ ଅଫିଆଲ୍ ପାର୍ଟନର୍ ନିଯୁକ୍ତ କରାଯାଇଛି। ଭାରତୀୟ ମହିଳା ହକି ଦଳର ଦାୟିତ୍ବ ଏବେ ରହିବ ସ୍ପୋର୍ଟସ ସାଇନ୍ସ ଇଣ୍ଡିଆ ଦାୟିତ୍ବରେ। ପୂର୍ବ ଭାରତରେ ଏକମାତ୍ର ବିବିଧ ଶୃଙ୍ଖଳାର କ୍ରୀଡ଼ା ମେଡିସିନ୍ ଓ ରିହାବିଲେସନ୍ ସେଣ୍ଟର ଭାବେ ପ୍ରତିଷ୍ଠା ଅର୍ଜନ କରିଥିବା ସ୍ପୋର୍ଟସ ସାଇନ୍ସ ଇଣ୍ଡିଆ ପାଇଁ ଆମେ ଅତ୍ୟନ୍ତ ଖୁସି। ମହିଳା ଏସିଆ ଓସେନିଆ ପ୍ରତିଯୋଗିତାରୁ ଏହାର ସୁଫଳ ମିଳିବ ବୋଲି ଆଶା ପ୍ରକାଶ କରିଛନ୍ତ ଭାରତୀୟ ଆଇସ୍ ହକି ସଂଘର ସାଧାରଣ ସମ୍ପାଦକ ହର୍ଜିନ୍ଦର ସିଂହ। ସୂଚନାଯୋଗ୍ୟ, ଭୁବନେଶ୍ବରର ଜଣାଶୁଣା ଡାକ୍ତର ସାର୍ଥକ ପଟ୍ଟନାୟକ ହେଉଛନ୍ତି ସ୍ପୋର୍ଟସ ମେଡିସିନ୍ ଇଣ୍ଡିଆର ପ୍ରତିଷ୍ଠାତା ଓ ନିର୍ଦେଶକ। ୨୦୧୭ ମସିହାରେ ଭୁବନେଶ୍ବରରେ ଅନୁଷ୍ଠିତ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଖେଳାଳିଙ୍କ ଦାୟିତ୍ବରେ ରହିଥିବା ଡାକ୍ତର ପଟ୍ଟନାୟକ ମଧ୍ୟ ତାଙ୍କ ଦଳ ସହିତ ଜାତୀୟ ରଗ୍ବି ପ୍ରତିଯୋଗିତାରେ ସଫଳତାର ସହ ଦାୟିତ୍ବ ତୁଲାଇଥିଲେ। ଏବେ ସମ୍ପୂର୍ଣ୍ଣ ଭାରତୀୟ ମହିଳା ଆଇସ୍ ହକିର ପ୍ରତି ୨୦ ଖେଳାଳି ଏବଂ ୩ ପ୍ରଶିକ୍ଷକଙ୍କ ଦାୟିତ୍ବ ଆମର ବୋଲି ଖୁସିର ସହ କହିଛନ୍ତି ଡାକ୍ତର ପଟ୍ଟନାୟକ।
ପ୍ରଥମ ଥର ପାଇଁ ଏକ ହୋମଗ୍ରୋନ୍ ସ୍ପୋର୍ଟସ ସାଇନ୍ସ ସେଣ୍ଟର୍ ଏକ ଅନ୍ତର୍ଜାତୀୟ ଇଭେଣ୍ଟ୍ ପାଇଁ ମନୋନୀତ ହେବା ରାଜ୍ୟ ପାଇଁ ଗୌରବର ବିଷୟ। ଦେଶର କ୍ରୀଡ଼ା ଦୁନିଆ ପାଇଁ ଏହା ଓଡ଼ିଶାର ଅବଦାନ। ସ୍ପୋର୍ଟସ ସାଇନ୍ସ ସେଣ୍ଟରରେ ଜର୍ମାନି, ବେଲଜିୟମ, ଦକ୍ଷିଣ ଆଫ୍ରିକା, ଆମେରିକା ଭଳି ପ୍ରମୁଖ ରାଷ୍ଟ୍ରରୁ ବିଶେଷଜ୍ଞମାନେ ସମ୍ପୃକ୍ତ ଥିବାରୁ ଆମେ ବିଶ୍ବସ୍ତରୀୟ ସୁବିଧା ସୁଯୋଗ ଦେଇପାରିଛୁ ବୋଲି ଡାକ୍ତର ପଟ୍ଟନାୟକ ପ୍ରକାଶ କରିଛନ୍ତି। ପେସାଦାର ହେଲଥ ବିଶାରଦ ଏବଂ ସ୍ପୋର୍ଟସ ସାଇନ୍ସ ବିଶେଷଜ୍ଞମାନ ସହିତ ବିଶିଷ୍ଟ ସ୍ପୋର୍ଟସ ରିହାବିଲେଟରସ, ଫିଜିଓଥେରାପିଷ୍ଟ୍, ସ୍ପୋର୍ଟସ ସାଇକୋଲଜିଷ୍ଟ୍, ସ୍ପୋର୍ଟସ ନ୍ୟୁଟ୍ରିସନିଷ୍ଟ ପ୍ରମୁଖ ଗଭୀର ଜ୍ଞାନ ରଖିଥିବାରୁ ଖେଳାଳିଙ୍କ ପ୍ରଦର୍ଶନରେ ଏହା ଉନ୍ନତି ଆଣିପାରିଛି। ଅନ୍ୟ ଏକ ଖୁସିର କଥା ହେଉଛି ଓଡ଼ିଶା ଭିତ୍ତିକ ଏହି ସେଣ୍ଟର୍ ମଧ୍ୟ ବିଶ୍ବବ୍ୟାପୀ କାର୍ଯ୍ୟ କରୁଥିବା ନ୍ୟାସନାଲ୍ ଷ୍ଟ୍ରେଙ୍ଗ୍ଥ ଓ କଣ୍ଡିସନିଂ ଆସୋସିଏସନ୍ ସହ ଅନୁବଂଧିତ ରହିଛି।