ଅନ୍ତିମ ସଂସ୍କାର ପାଇଁ ଗଛମୂଳେ ବସିଥିଲେ ସମ୍ପର୍କୀୟ! ବଜ୍ରପାତରେ ଗର୍ଭବତୀଙ୍କ ସମେତ ୩ ମୃତ, ୫ ଗୁରୁତର
କରଞ୍ଜିଆ : ମୟୂରଭଞ୍ଜ ଜିଲା କରଞ୍ଜିଆ ସହରର ୧୪ ନମ୍ବର ୱାର୍ଡ ଅଙ୍କୁରାସାହିରେ ଅଘଟଣ । ଆଜି ଅପରାହ୍ନ ସମୟରେ ଘର ଅଗଣାରେ ଗଛ ତଳେ ବସିଥିଲା ବେଳେ ହେଲା ବଜ୍ରପାତ । ଏଥିରେ ଜଣେ ଗର୍ଭବତୀଙ୍କ ସମେତ ୩ ଜଣ ମହିଳାଙ୍କ ମୃତ୍ୟୁ । ସେହିପରି ଜଣେ ଶିଶୁଙ୍କ ସମେତ ୫ ଗୁରୁତର ମଧ୍ୟ ହୋଇଛନ୍ତି । ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୋଟିଏ ସ୍ଥାନରେ ବଜ୍ରପାତରେ ୩ ଜଣ ମହିଳାଙ୍କ ମୃତ୍ୟୁ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସୂଚନା ଯେ, ଅଙ୍କୁରାସାହିରେ ମୁକ୍ତା ମୁଣ୍ଡା ନାମକ ଜଣେ ମହିଳାଙ୍କ ଆଜି ସକାଳେ ମୃତ୍ୟୁ ହୋଇଥିଲା । ଖବର ପାଇ ତାର ସମ୍ପର୍କୀୟମାନେ ଅନ୍ତିମ ସଂସ୍କାର ପାଇଁ ଆସିଥିଲେ। ନିକଟରେ ଥିବା ଏକ ଆମ୍ବ ଗଛ ମୂଳେ ସମ୍ପର୍କୀୟମାନେ ବସିଥିବା ସମୟରେ ଅଚାନକ ବର୍ଷା ଓ ପବନ ହୋଇଥିଲା । ଏହି ସମୟରେ ଆମ୍ବ ଗଛ ଉପରକୁ ବଜ୍ରପାତ ମାରିଥିଲା । ଗଛମୂଳେ ବସିଥିବା ଲୋକଙ୍କ ମଧ୍ୟରୁ ସ୍ୱର୍ଗତ ବୃନ୍ଦାବନ ଦାସଙ୍କ ସ୍ତ୍ରୀ ସୁବାସିନୀ ଦାସ(୭୦), ଲକ୍ଷ୍ମଣ ନାଏକଙ୍କ ସ୍ତ୍ରୀ ଜୀବତୀ ନାଏକ(୩୦) ଓ ଶିବୁ ମୁଣ୍ଡାଙ୍କ ଗର୍ଭବତୀ ସ୍ତ୍ରୀ ହେମଲତା ହୋ(୨୫)ଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଯୁବତୀ ନାଏକ, ମାଳତୀ ନାଏକ, ଭୁବନ ହୋ, ସୋନାଲି ବାସ୍କେ ଏବଂ ଦେଢ଼ ବର୍ଷର ଶିଶୁ ତେଜଶ୍ୱରୀ ନାଏକ ଆହତ ହୋଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ମୃତକଙ୍କ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲା ବେଳେ ଆହତମାନଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ଆଣିଥିଲା।