ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ନାମ ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦୀପାଳି
ଭୁବନେଶ୍ୱର : ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ନାମ ଘୋଷଣା ପରେ ଦୀପାଳି ଦାସ ଶନିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି । ଦୀପାଳି ନିଜ ମା ଓ ଭାଇଙ୍କ ସହ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ।
ଏହି ଅବସରରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଦୀପାଳି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ପାଇଁ ଆସିଥିଲି । ବିଜେଡି ସବୁବେଳେ ଗୋଟେ ଦକ୍ଷ ଦଳ । ବାପାଙ୍କ ପରେ ଦଳ ମୋ ଉପରେ ଭରସା କରିଛି ତାକୁ ନେଇ ମୁଁ ବହୁତ୍ ଖୁସି । ଆମେ ଝାରସୁଗୁଡାରେ ବହୁ ଭୋଟରେ ଜିତିବୁ । କାରଣ ବାପାଙ୍କ ପ୍ରତି ଥିବା ଜନସାଧାରଣଙ୍କ ଭଲ ପାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଓ କାର୍ଯ୍ୟଧାରା ସବୁବେଳେ ଲୋକଙ୍କ ହିତ କରିଛି । ଏଣୁ ଆମେ ଆଶାବାଦୀ ଯେ ବହୁ ଭୋଟରେ ବିଜୟୀ ହେବୁ ।
ସୂଚନାଯୋଗ୍ୟ, ଗତକାଲି ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଭାବେ ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳିଙ୍କ ନାଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଝାରସୁଗୁଡ଼ାରେ ଉପନିର୍ବାଚନ ନେଇ ଗତ ବୁଧବାର ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆସନ୍ତା ମେ’ ୧୦ ତାରିଖରେ ଏଠାରେ ଭୋଟ୍ ଗ୍ରହଣ କରାଯାଇ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ ।