ପଶ୍ଚିମା ଝଡ଼ ପ୍ରଭାବରେ ଉଡ଼ିଲା ଆଜବେଷ୍ଟସ, ୨ ଆହତ
ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବାକୁ ଥିବା ବେଳେ ଉପକୂଳ ତଥା ସଂଲଗ୍ନ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବା ନେଇ ସମ୍ଭବନା ରହିଛି । ତେବେ ଏହି ସମୟରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବିଶେଷ କରି, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ଯାଜପୁର, ବାଲେଶ୍ବର, ଭଦ୍ରକ, ଅନୁଗୁଳ ଆଦି ଜିଲାରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବା ନେଇ ସମ୍ଭାବନା ରହିଛି ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୨୦ ତାରିଖ ଦିନ ପଶ୍ଚିମା ଝଡ଼ର ପ୍ରଭାବ କମ ରହିବ। ଏହାର ପ୍ରଭାବରେ ବାଲେଶ୍ବର, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼, କେନ୍ଦୁଝର ଆଦି ଜିଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆଜି ରାଜଧାନୀ ସମେତ ଏହାର ଆଖପାଖ ଅଞ୍ଚଳରେ ପାଗ ମେଘୁଆ ରହିବା ସହ ବର୍ଷା ହେବ । ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଥିଲା । ଖାସ କରି ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିଥିଲା । ବର୍ଷା ଫଳରେ ଅନେକ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ରହିଛି । କୋରାପୁଟ ପଟାଙ୍ଗି ଚନ୍ଦକା ଗ୍ରାମପଞ୍ଚାୟତର ତଳକରାଢାବା ଗ୍ରାମରେ ୫ଟି ଘର ସୂମ୍ପର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ନୀଳଗିରି ଅଯୋଧ୍ୟା ପଞ୍ଚାୟତରେ ବଜ୍ରପାତ ଫଳରେ ୧୬ରୁ ଅଧିକ ଗୋରୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେପଟେ କଟକର ୧୭ନଂ ୱାର୍ଡ଼ରେ ବର୍ଷା, ପବନ ଯୋଗୁଁ ନଡ଼ିଆ ଗଛ ପଡ଼ି ଜଣେ ଦିବ୍ୟାଙ୍ଗ ଘର ଭାଙ୍ଗିଥିବା ସୂଚନା ମିଳିଛି ।ରାୟଗଡ଼ା ଜିଲା କଲ୍ୟାଣସିଂହପୁରରେ ଝଡ଼ ତୋଫାନ ବର୍ଷା ଯୋଗୁଁ ଆଜବେଷ୍ଟସ ଉଡ଼ିବା ସହ ୨ ଜଣ ମହିଳା ଆହତ ହୋଇଛନ୍ତି । ଚିକିତ୍ସା ଲାଗି ସେମାନଙ୍କୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ଥଣ୍ତା ରହିଥିବା ବେଳେ ଆଗାମୀ ୨ରୁ ୩ ଦିନ ଯାଏଁ ଏଭଳି ପାଗ ରହିବ । ଏହାପରେ ତାପମାତ୍ରା ୩ରୁ ୪ ଡ଼ିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ପଶ୍ଚିମା ଝଡ଼ର ପ୍ରଭାବରେ ବର୍ଷା ଯୋଗୁଁ ରାଜ୍ୟବାସୀଙ୍କୁ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି ।