କାଶ୍ମୀର ପଣ୍ଡିତ ସଞ୍ଜୟ ଶର୍ମାଙ୍କ ହତ୍ୟାରେ ସାମିଲ୍ ଥିବା ଆତଙ୍କୀ ନିହତ, ଜଣେ ଯବାନ ସହିଦ
ପୁଲୱାମା : ଜିଲ୍ଲାର ଅବନ୍ତିପୋରାର ପଦଗାମପୋରା ଅଂଚଳରେ ମଙ୍ଗଳବାର ସକାଳେ ସୁରକ୍ଷା ବଳର ଗୁଳିରେ କାଶ୍ମୀର ପଣ୍ଡିତ ସଞ୍ଜୟ ଶର୍ମାଙ୍କ ହତ୍ୟାରେ ସାମିଲ୍ ଥିବା ଜଣେ ଆତଙ୍କୀ ନିହତ ହୋଇଛି । ଉଭୟଙ୍କ ମଧ୍ୟରେ ଏହି ଗୁଳି ବିନିମୟ ବେଳେ ସେନାର ଜଣେ ଯବାନ ସହିଦ୍ ହୋଇଛନ୍ତି । ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଆଜି ସକାଳେ ପୁଲିସ, ସେନା ଏବଂ ସିଆରପିଏଫର ମିଳିତ ଟିମ୍ ଆତଙ୍କବାଦୀଙ୍କ ଧରପଗଡ଼ ପାଇଁ ତଲାସୀ ଅଭିଯାନ ଆରମ୍ଭ କରିଥିଲେ । ଏଠାରେ ଲୁଚି ରହିଥିବା ଆତଙ୍କବାଦୀ ମାନେ ପୋଲିସର ଘେରାବନ୍ଦୀ ଦେଖି ଆଖିବୁଜା ଗୁଳି ଚାଳନା ଆରମ୍ଭ କରିଥିଲେ । ସୁରକ୍ଷାବଳର ଯବାନ ମାନେ ମଧ୍ୟ ଏହାର ପାଲଟା ଜବାବ ରଖିଥିଲେ । ଯବାନ ମାନଙ୍କ ଗୁଳିରେ ଦ ରେଜିଷ୍ଟାନ୍ସ ଫ୍ରଂଟ (ଟିଆରଏଫ)ର ଆତଙ୍କୀ ଅକିବ ମୁସ୍ତାକ ନିହତ ହୋଇଥିଲା । ଏହି ସଂଘର୍ଷରେ ସେନାର ଦୁଇ ଜଣ ଯବାନ ଆହତ ହୋଇଥିଲେ । ଆହତ ଦ୍ୱୟଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତି କରାଯାଇଥିଲା । କିନ୍ତୁ, ସେଠାରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଥିଲା । ତେବେ ସମ୍ପୃକ୍ତ ଅଂଚଳରେ ଅନ୍ୟ ଆତଙ୍କୀ ମାନଙ୍କ ତଲାସୀ ପାଇଁ ସୁରକ୍ଷା ବଳ ପକ୍ଷରୁ ସର୍ଚ୍ଚ ଅପରେସନ ଜାରୀ ରହିଛି । କାଶ୍ମୀର ଏଡିଜିପି ବିଜୟ କୁମାର ଏନେଇ ସୂଚନା ଦେଇ କହିଛନ୍ତି ଯେ, ଅବନ୍ତିପୋରା ସଂଘର୍ଷରେ ନିହତ ଆତଙ୍କବାଦୀର ପରିଚୟ ପୁଲୱାମା (ଏ ଶ୍ରେଣୀର) ଅକିବ ମୁସ୍ତାକ ଭଟ୍ଟ ବୋଲି ଜଣାପଡିଛି । ସେ ପ୍ରଥମେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନ ପାଇଁ କାମ କରୁଥିଲା । ବର୍ତମାନ ସେ ଟିଆରଏଫ ସହିତ କାମ କରୁଥିଲା । ନିହତ ଆତଙ୍କବାଦୀ କାଶ୍ମୀର ପଣ୍ଡିତ ସଞ୍ଜୟ ଶର୍ମାଙ୍କ ହତ୍ୟାରେ ସାମିଲ୍ ଥିଲା । ଏହି ସଂଘର୍ଷରେ ସେନାର ଜଣେ ଯବାନ ସହିଦ ହୋଇଛନ୍ତି । ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ, ପୁଲୱାମାର ଅଚ୍ଛନ ଅଂଚଳରେ ରବିବାର ଆତଙ୍କବାଦୀଙ୍କ ଗୁଳିରେ କାଶ୍ମୀର ପଣ୍ଡିତ ସଞ୍ଜୟ ଶର୍ମା ପ୍ରାଣ ହରାଇଥିଲେ । ପୋଲିସ ଓ ସୁରକ୍ଷା ବଳର ଉପସ୍ଥିତିରେ ସୋମବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।