ଟିକା ନେବା ପରେ ବି କରୋନା ଗାଇଡ୍ ଲାଇନ୍ ପାଳନ୍ତୁ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ଡବଲ ଡୋଜ୍ ଟିକା ନେବା ପରେ ମଧ୍ୟ କରୋନା ହୋଇପାରେ । ଆଜି ଯାଏ କୌଣସି କୋଭିଡ୍ ଭ୍ୟାକ୍ସିନ ଶତ ପ୍ରତିଶତ କାମ କରିଥିବାର ତଥ୍ୟ ମିଳିପାରିନି । ବିଭିନ୍ନ ଭ୍ୟାକ୍ସିନ ୭୦ରୁ ୯୦ପ୍ରତିଶତ ଭିତରେ କାର୍ଯ୍ୟ କରୁଛି । ଭ୍ୟାକ୍ସିନ ନେବା ଦ୍ୱାରା ଆମ ଦେହରେ କୋଭିଡ୍ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେଉଛି । କିନ୍ତୁ ଆମ ପରିବେଶରେ ଯେହେତୁ ସଂକ୍ରମଣ ରହିଛି, ତେଣୁ ସଂକ୍ରମଣ ହେବ । ମାତ୍ର ଭ୍ୟାକ୍ସିନର ଡବଲ ଡୋଜ ନେବା ପରେ ଗୁରୁତର ହେବା ଆଶଙ୍କା କମି ଯାଉଛି । ତେଣୁ ଟିକା ନେବା ପରେ ବି ସମସ୍ତେ କରୋନା ଗାଇଡଲାଇନକୁ ଠିକ୍ ଭାବେ ପାଳନ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଆମ ରାଜ୍ୟ ଏବେ ଭଲ ସ୍ଥିତିରେ ଅଛି । ଆମେ ସ୍ଥିର ସ୍ତରକୁ ଯାଉଛନ୍ତି । ତୃତୀୟ ଲହର ଆସିବା ନେଇ କେବଳ ଆକଳନ କରାଯାଉଛି । ମାତ୍ର ଭୟଭୀତ ହେବା ନାହିଁ । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଅନ୍ୟପକ୍ଷରେ ଟିକା ନେବା ପରେ ବି ସଂକ୍ରମଣ ହେଉଥିବାରୁ ଏହାର ଅନୁଧ୍ୟାନ ପାଇଁ ରାଜ୍ୟରେ ଟେକ୍ନିକାଲ୍ କମିଟି ଗଠନ କରାଯାଇଛି । ଆଜି ଏହି କମିଟିର ପ୍ରଥମ ବୈଠକ ବସିବ । ଓଡ଼ିଶାରେ ଟିକା ନେବା ପରେ କେତେ ଲୋକଙ୍କର ମୃତ୍ୟୁ ହୋଇଛି ତାର ତର୍ଜମା କରାଯାଉଛି । ଦରକାର ପଡିଲେ ଅନ୍ୟ ଏକ୍ସପର୍ଟମାନଙ୍କ ସହାୟତା ନିଆଯିବ ବୋଲି ଆଇଏଲଏସ୍ ନିର୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି ।
ଆଇସିଏମଆର ଡାଟା ଅନୁଯାୟୀ, ଦେଶରେ ଟିକାର ପ୍ରଥମ ଡୋଜ ନେଇ ୦.୦୪ ପ୍ରତିଶତ ଏବଂ ଦ୍ୱିତୀୟ ଡୋଜ ନେଇ ୦.୦୩ ପ୍ରତିଶତ ସଂକ୍ରମିତ ହୋଇଛନ୍ତି । ଭ୍ୟାକ୍ସିନେସନ ପରେ ୭୫ ପ୍ରତିଶତ ଲୋକଙ୍କୁ ମେଡିକାଲ ଯିବାକୁ ପଡୁନି । ଦେଶରେ ଏବେ ୨୮ ଟି ଲ୍ୟାବରେ ୪୦ ହଜାର ନମୂନାର ଜିନମ ସିକ୍ୟୁଏନ୍ସିଂ କରାଯାଇଛି କ୍ଷ ବିହାର, ଛତିଶଗଡ଼, ଓଡିଶା ଓ ଝାଡ଼ଖଣ୍ଡର ନମୂନାକୁ ନେଇ ଆଇଏଲଏସରେ ଜିନମ ସିକ୍ୟୁଏନ୍ସିଂ ହେଉଥିବା ବେଳେ ଦେଶରେ ଏଯାଏଁ ୬ଟି କେସ୍ରେ ଡେଲଟା ପ୍ଲସ୍ ଭାଇରସ୍ ଚିହ୍ନଟ ହୋଇଥିବା ଆଇଏଲଏସ୍ ନିର୍ଦେଶକ ସୂଚନା ଦେଇଛନ୍ତି ।