ଆସନ୍ତାକାଲିଠୁ ଦିଲ୍ଲୀରେ ଖୋଲିବ ବଜାର, ମଲ୍, ରେଷ୍ଟୁରାଣ୍ଟ, ବନ୍ଦ ରହିବ ସ୍କୁଲ-କଲେଜ
ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ପାଇଛି। ଏହାକୁ ଦୃଷ୍ଟିରେ ରଖି ସୋମବାର ଠାରୁ ଅନଲକ୍ ପ୍ରକ୍ରିୟାରେ ସମସ୍ତ ବଜାର, ମଲ୍, ରେଷ୍ଟୁରାଣ୍ଟ ଖୋଲିବା ଆରମ୍ଭ କରିବ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀରେ ସ୍କୁଲ-କଲେଜ, ସୁଇମିଂ ପୁଲ, ସ୍ପା ସେଣ୍ଟର ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, “ଆସନ୍ତାକାଲି ସକାଳ ୫ ଟା ପରେ କିଛି କାର୍ଯ୍ୟକଳାପ ବ୍ୟତୀତ ସମସ୍ତ କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଛି। ଆସନ୍ତାକାଲି ଠାରୁ ବଜାର ଖୋଲିବା ପାଇଁ ଅଡ ଏଭେନ୍ ଫର୍ମୁଲା ଲାଗୁ ହେବ ନାହିଁ। ପ୍ରାଇଭେଟ୍ ଅଫିସ୍ ୫୦ ପ୍ରତିଶତ କ୍ଷମତା ସହ ସକାଳ ୯ ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲା କରିବ।” ବଜାର, ମଲ୍ ଏବଂ ମାର୍କେଟ କମ୍ପ୍ଲେକ୍ସଗୁଡିକର ସମସ୍ତ ଦୋକାନ ସକାଳ ୧୦ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ଖୋଲିପାରିବ । ରେଷ୍ଟୁରାଣ୍ଟଗୁଡିକ ୫୦ ପ୍ରତିଶତ ବସିବା କ୍ଷମତାରେ ଖୋଲାଯିବ । ସାପ୍ତାହିକ ବଜାରକୁ ଅନୁମତି ଦିଆଯାଉଛି କିନ୍ତୁ ଗୋଟିଏ ଦିନରେ କେବଳ ଗୋଟିଏ ସାପ୍ତାହିକ ବଜାର ଅନୁମତି ଦିଆଯିବ । ଘରେ କିମ୍ବା କୋର୍ଟରେ ୨୦ ଜଣଙ୍କ ଉପସ୍ଥିତିରେ ବିବାହ ଆୟୋଜନ କରାଯାଇପାରିବ। ଧାର୍ମିକ ସ୍ଥାନ ଖୋଲାଯାଉଛି କିନ୍ତୁ ଭକ୍ତଙ୍କୁ ଅନୁମତି ଦିଆଯିବ ନାହିଁ।” ସେହିପରି ସ୍କୁଲ-କଲେଜ, ଶିକ୍ଷାନୁଷ୍ଠାନ, ସାମାଜିକ, ରାଜନୈତିକ, କ୍ରୀଡା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ ସମାବେଶ, ସୁଇମିଂ ପୁଲ୍, ଷ୍ଟାଡିୟମ୍, କ୍ରୀଡା କମ୍ପ୍ଲେକ୍ସ, ସିନେମା, ଥିଏଟର୍, ମନୋରଞ୍ଜନ ପାର୍କ, ଭୋଜି ହଲ୍, ଅଡିଟୋରିୟମ୍, ସ୍ପା, ଜିମ୍, ସର୍ବସାଧାରଣ ପାର୍କଗୁଡିକ ବର୍ତ୍ତମାନ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରହିବ । ଦିଲ୍ଲୀରେ କୋଭିଡ -୧୯ ର ନୂଆ ମାମଲା ହ୍ରାସ ପାଇଥିବାରୁ ସରକାର ନିର୍ମାଣ କାର୍ଯ୍ୟ ଏବଂ କାରଖାନାଗୁଡ଼ିକୁ ଆସନ୍ତା ୩୧ ତାରିଖରୁ ପର୍ଯ୍ୟାୟକ୍ରମେ ଖୋଲିବାକୁ ଅନୁମତି ଦେଇଛନ୍ତି। ଦିଲ୍ଲୀ ସରକାରଙ୍କ ହେଲଥ ବୁଲେଟିନ୍ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କରୋନାର ୨୧୩ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୨୫ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ସଂକ୍ରମଣ ହାର 0.୩ ପ୍ରତିଶତକୁ ଖସି ଆସିଛି।