ଓଡ଼ିଶା ପୋଲିସ୍ ନିଯୁକ୍ତି ପାଇଁ ଆବେଦନ କରିପାରିବେ କିନ୍ନର
ଭୁବନେଶ୍ୱର : ଓଡ଼ିଶା ପୋଲିସରେ ନିଯୁକ୍ତି ପାଇପାରିବେ କିନ୍ନର । ଓଡିଶା ପୋଲିସ୍ ପକ୍ଷରୁ ୪୭୭ ସବ୍-ଇନିସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ୨୪୪ କନେଷ୍ଟବଳ ପଦବୀପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ କିନ୍ନର ମାନେ ମଧ୍ୟ ଆବେଦନ କରିପାରିବେ ବୋଲି ଉଲ୍ଲେଖ କରାଯାଇଛି । ରାଜ୍ୟ ସରକାରଙ୍କ ଏପରି ନିଷ୍ପତିକୁ ବିଭିନ୍ନ କିନ୍ନର ସଂଘ ପକ୍ଷରୁ ସ୍ୱାଗତ କରାଯାଇଛି ।
ବିଜ୍ଞପ୍ତି ଅନୁଯାୟୀ ଏହିସବୁ ପଦୀବ ପାଇଁ ଜୁନ୍ ୨୨ ତାରିଖରୁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଆବେଦନ କରିବାର ଶେଷ ତାରିଖ ହେଉଛି ଜୁଲାଇ ୧୫ । ସବ୍ଇନ୍ସପେକ୍ଟର ପଦବୀ ପାଇଁ ଯେଉଁମାନେ ଆବେଦନ କରିବେ ସେମାନଙ୍କ ବୟସ ୨୧ ବର୍ଷରୁ କମ୍ ହୋଇନଥିବ କି ୧.୧.୨୦୨୧ ସୁଦ୍ଧା ୨୫ ବର୍ଷରୁ ଅଧିକ ହୋଇନଥିବ । ତେବେ ଏସ୍ଟି, ଏସ୍ସି, ଏସ୍ଇବିସି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ବୟସ ୫ ବର୍ଷ କୋହଳ ରହିଛି । ସେହିଭଳି କନଷ୍ଟେବଳ (କମ୍ୟୁନିକେସନ) ପଦବୀ ପାଇଁ ଯେଉଁମାନେ ଆବେଦନ କରିବେ ସେମାନଙ୍କ ବୟସ ୧୮ ବର୍ଷରୁ କମ୍ ହୋଇ ନଥିବ ତଥା ୧.୧.୨୦୨୧ ସୁଦ୍ଧା ୨୩ ବର୍ଷରୁ ଅଧିକ ହୋଇନଥିବ ।
ଏ ସଂପର୍କରେ ସୂଚନା ଦେଇ ଡିଜିପି ଶ୍ରୀ ଅଭୟ କହିଛନ୍ତି, ସବ୍ଇନ୍ସପେକ୍ଟର ପଦବୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ପାସ୍ ରଖାଯାଇଛି । ଚଳିତବର୍ଷ ପରୀକ୍ଷା ଢାଂଚାରେ ପରିବର୍ତନ କରାଯାଇଛି । ଗୋଟିଏ ଲିଖିତ ପରୀକ୍ଷା ହେବା ସହ ସେଥିରେ ମଲ୍ଟିପଲ ଚଏସ ପ୍ରଶ୍ନ ରହିବ । ଏଥିସହ ପ୍ରାର୍ଥୀମାନଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷା ଦେବାକୁ ହେବ । ସେହିଭଳି କନଷ୍ଟେବଳ (କମ୍ୟୁନିକେସନ) ପଦବୀ ପାଇଁ ଇଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ସର୍ବନିମ୍ନ ଶିକ୍ଷା ଯୋଗ୍ୟତା ଯୁକ୍ତ ୨ ପାସ୍ ରଖାଯାଇଥିବା ବେଳେ ସେମାନେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ କୌଣସି ଅନୁଷ୍ଠାନରୁ କମ୍ପ୍ୟୁଟର ଆପ୍ଲିକେସନରେ ଡିପ୍ଲୋମା କରିଥିବା ଆବଶ୍ୟକ । ଏହାବାଦ୍ ଶାରୀରିକ ଦକ୍ଷତା ପରୀକ୍ଷା ଦେବାକୁ ପଡ଼ିବ ବୋଲି ଡିଜିପି କହିଛନ୍ତି ।