ବେଆଇନ କାଠ ଚୋରାଚାଲାଣ : ଟ୍ରକ୍ ସହ ଲକ୍ଷାଧିକ ଟଙ୍କାର କାଠ ଜବତ, ଜଣେ ଗିରଫ
କୋରାପୁଟ : କୋରାପୁଟ ବନାଞ୍ଚଳ ପକ୍ଷରୁ ଚଢ଼ାଉ । ଘଟଣାରେ ଏକ ଟ୍ରକ ସହ ଲକ୍ଷାଧିକ ଟଙ୍କାର କାଠ ଜବତ ହୋଇଥିବା ବେଳେ ଜଣେ ଗିରଫ । ଏନେଇ ସୂଚନା ଦେଇଛନ୍ତି ବନାଞ୍ଚଳ ଅଧିକାରୀ ରୋହିତ କୁମାର ।
କୋରାପୁଟ ବନାଞ୍ଚଳ ଅଧିକାରୀ ରୋହିତ କୁମାରଙ୍କ ନେତୃତ୍ୱରେ ଏକ ଟିମ୍ ଗତ ସୋମବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବାବେଳେ କୋରାପୁଟ-ରାୟଗଡ଼ା ରାସ୍ତାର ମୂତ୍ୟାଲୁ ମାଁ ମନ୍ଦିର ଛକ ନିକଟରେ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଟ୍ରକରେ ୮୧ ଖଣ୍ଡ ଆକାଶିଆ ଗଛର କାଠ ଗଣ୍ଡି ମିଳିଥିଲା । ଟ୍ରକ ଡ୍ରାଇଭରକୁ କାଠ ସମ୍ପର୍କରେ ପଚାରିବାରୁ ସେ ସନ୍ତୋଷ ଜନକ ଉତ୍ତର ଦେଇନଥିଲେ । କାଗଜ ପତ୍ର ଯାଞ୍ଚ ପରେ ଜାଲ କାଗଜପତ୍ରରେ ବେଆଇନ କାଠ ଚୋରାଚାଲାଣ ଅଭିଯୋଗରେ ବନ ବିଭାଗ କର୍ମଚାରୀ ଟ୍ରକ ଓ କାଠ ଜବତ କରିବା ସହ ପୁରୀ ଜିଲା ଚନ୍ଦନପୁର ଡିହସାହି ଗ୍ରାମର ଟ୍ରକ ଡ୍ରାଇଭର ଧନେଶ୍ଵର ଜେନାଙ୍କୁ ଗିରଫ କରିଛନ୍ତି । ନବରଙ୍ଗପୁର ଜିଲା ପାପଡାହାଣ୍ଡିରୁ ଗଞ୍ଜାମ ଚୋରାଚାଲାଣ କରାଯାଉଥିଲା କାଠଗଣ୍ଡି । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ସହ ଘଟଣାର ଅଧିକ ତଦନ୍ତ କରାଯିବ ବୋଲି କୋରାପୁଟ ବନାଞ୍ଚଳ ଅଧିକାରୀ ରୋହିତ କୁମାର ସୂଚନା ଦେଇଛନ୍ତି।