୫ ଯାଏଁ ଶୀତ ନାହିଁ, ବିଭିନ୍ନ ସ୍ଥାନରେ ଘନ କୁହୁଡି
ଭୁବନେଶ୍ବର : ରାଜ୍ୟରେ ସାମୁଦ୍ରିକ ବାୟୁ ପ୍ରଭାବରେ ଶୀତ କମିଛି। କିନ୍ତୁ ଅନେକ ସ୍ଥାନରେ ଘନ କୁହୁଡି ପରିଲକ୍ଷିତ ହୋଇଛି । ସାମୁଦ୍ରିକ ବାୟୁ ପ୍ରଭାବରେ ରାଜ୍ୟର ରାତି ତାପମାତ୍ରାରେ ବୃଦ୍ଧି ହୋଇଛି। ଅଧିକାଂଶ ସ୍ଥାନର ତାପମାତ୍ରା ସ୍ବାଭାବିକଠାରୁ ୫ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ପାଇଛି। ଆସନ୍ତା ୨/୩ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଏହି ସମୟରେ ରାଜ୍ୟରେ ଶୀତ ଅନୁଭୂତ ହେବ ନାହିଁ। ରାତି ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୫ ଡିଗ୍ରୀ ଯାଏଁ ଅଧିକ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବୁଧବାର ଓ ଗୁରୁବାର ବି କୁହୁଡ଼ି ଦେଖାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ଆସନ୍ତା ୬ ତାରିଖରୁ ସାମୟିକ ଭାବେ ଶୀତ ବଢ଼ିବ । ଏବେ ରାଜ୍ୟକୁ ଉତ୍ତରା ପବନ ଆସିପାରୁନି । ୫ ତାରିଖ ଯାଏ ଅଧିକାଂଶ ସ୍ଥାନରେ ତାପମାତ୍ରାରେ ପରିବର୍ତ୍ତନ ହେବନି । ୬ରୁ ରାଜ୍ୟକୁ ଉତ୍ତରା ପବନ ଆସିବ ଓ ଶୀତ ବଢ଼ିବ । ୬ ଓ ୭ ତାରିଖ ଦୁଇ ଦିନ ଆଭ୍ୟନ୍ତର ଜିଲାରେ ରାତି ତାପମାତ୍ରା ୪ ଡିଗ୍ରୀ କମିବ । ଭୁବନେଶ୍ୱର ସମେତ କେନ୍ଦ୍ରୀୟ ଉପକୂଳରେ ପ୍ରାୟ ୧.୫ଡିଗ୍ରୀ କମିପାରେ । ୪ ତାରିଖ ସୁଦ୍ଧା ଦକ୍ଷିଣ ଆଭ୍ୟନ୍ତରରେ ତାପମାତ୍ରା ୩ଡିଗ୍ରୀ ବଢ଼ିବ । ଉତ୍ତର ଆଭ୍ୟନ୍ତରରେ ୧ଡିଗ୍ରୀ ବଢିପାରେ । ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ତାପମାତ୍ରା ଅପରିବର୍ତ୍ତିତ ରହିବ । ଏବେ ସୋରିଷ, କୋବିଜାତୀୟ ଫସଲରେ ପାଉଁଶିଆ ରୋଗ ହେବାର ଆଶଙ୍କା ଅଛି । ଆଳୁରେ ପତ୍ରପୋଡ଼ା ରୋଗ ହୋଇପାରେ । ଏଥିପାଇଁ ପଦକ୍ଷେପ ନେବାକୁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ।