ଅସଦାଚରଣ ମାମଲାରେ ଅଭିଯୁକ୍ତକୁ ୩ ବର୍ଷ ଜେଲ ଦଣ୍ଡ
ବାଲେଶ୍ୱର : ବାଲେଶ୍ୱର ଅତିରିକ୍ତ ଜିଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ଜଜ୍ (ପୋକ୍ସ) ରଞ୍ଜନ କୁମାର ସୁତାର ଶୁକ୍ରବାର ଏକ ନାବାଳିକା ଅସଦାଚରଣ ମାମଲାକୁ ବିଚାର କରି ଅଭିଯୁକ୍ତକୁ ୩ ବର୍ଷ ଜେଲ୍ ଦଣ୍ଡ ସହ ୩ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି ।
ସୂଚନା ଯେ, ବାଲେଶ୍ୱର ଜିଲା ସଦର ଥାନା ଅନ୍ତର୍ଗତ ବର୍ଦ୍ଧନପୁର ଅଞ୍ଚଳର ଜଣେ ୮ ବର୍ଷୀୟ ନାବାଳିକା ଝିଅକୁ ପଡ଼ୋଶୀ ଶାରଦା ଶଙ୍କର ନାୟକ (୩୨) ଅସଦ ଆଚରଣ କରିଥିଲା । ନାବାଳିକାର ପରିବାର ଲୋକେ ସଦର ଥାନାରେ ଗତ ୨୦୧୪ ଡିସେମ୍ବର ୨୨ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ସଦର ଥାନା ମାମଲା (ନଂ. ୩୫୦ ।୨୦୧୪), ଧାରା ୩୫୪ଏ ।୩୫୪ବି ।୫୦୬, ପୋକ୍ସୋ ଆକ୍ଟ-୨୦୧୨ ରୁଜୁ ହୋଇଥିଲା । ଏହି ମାମଲା ପୋକ୍ସୋ କୋର୍ଟରେ ବିଚାରାଧୀନ ଥିବାବେଳେ ଶୁକ୍ରବାର ମାନ୍ୟବର ଜଜ୍ ଉପରୋକ୍ତ ରାୟ ଶୁଣାଣି କରିଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମାମଲାର ପରିଚାଳନା କରୁଥିଲେ ।