ତାଳସାରୀ ବେଳାଭୂମିରୁ ସମୁଦ୍ରକୁ ଛଡ଼ାଗଲା ୨୪୭ ଅଲିଭ ରିଡ୍ଲେ ଶାବକ
ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମିରୁ ଶନିବାର ସମୁଦ୍ରକୁ ୨୪୭ଟି ଅଲିଭ ରିଡ୍ଲେ ଶାବକ ଛଡ଼ାଯାଇଥିବାର ଜଣାଯାଇଛି ।
ସୂଚନା ଯେ, ଗତ ମାର୍ଚ୍ଚ ୨୫ ତାରିଖରେ ତାଳସାରୀ-ଉଦୟପୁର ବେଳାଭୂମିରେ ୩ଟି ଓ ମୁରଲୀ ଚଡ଼ରେ ଗୋଟିଏ ଅଲିଭ ରିଡ୍ଲେ ସମୁଦାୟ ୪ଶହ ଅଣ୍ଡାଦାନ କରିଥିଲେ । ଏଥିମଧ୍ୟରୁ ୩ଟି ଅଲିଭ୍ ରିଡ୍ଲେର ଶାବକ ସମୁଦ୍ରକୁ ଛଡ଼ା ଯାଇଥିବାବେଳେ ଅନ୍ୟ ଗୋଟିଏ ଅଲିଭ୍ ରିଡ୍ଲେର ଶାବକ ୪/୫ଦିନରେ ଛଡ଼ାଯିବ ବୋଲି ବନବିଭାଗର ବନପାଳ ଅଜୟ ଜେନା ସୂଚନା ଦେଇଛନ୍ତି । ଚଳିତବର୍ଷ ପାଗ ଅନୁକୁଳ ଥିବାବେଳେ ମାଛଧରା ଟ୍ରଲର ଓ ଡଙ୍ଗା ଚଳାଚଳ ମତ୍ସ୍ୟ ବିଭାଗ ପକ୍ଷରୁ ବନ୍ଦ ଥିବାରୁ ନିଃଶବ୍ଦ ଇଲାକାରେ ୪ଟି ଅଲିଭ ରିଡ୍ଲେ ଉପକୂଳକୁ ଆଗମନ ହୋଇଥିଲା । ସମସ୍ତ ଅଣ୍ଡାଗୁଡ଼ିକୁ ତାରଜାଲି ଘେରା ଓ ସୁରକ୍ଷିତ ଭାବେ ରଖାଯାଇଥିବାରୁ ସମସ୍ତ ଅଣ୍ଡାରୁ ଶାବକ ସୁସ୍ଥ ଭାବେ ବାହାରିଥିଲେ । ଗତବର୍ଷ ଏହି ବେଳାଭୂମିରେ ୨ ଅଲିଭ ରିଡ୍ଲେ ଦୁଇଶହ ଅଣ୍ଡା ଦେଇଥିବାବେଳେ ଚଳିତବର୍ଷ ୪ଟି ଅଲିଭ ରିଡ୍ଲେ କୂଳକୁ ଆସିଥିଲା ।