ଉତ୍ତରପ୍ରଦେଶରେ ପ୍ରବେଶ କଲା ଓମିକ୍ରନ : ଗାଜିଆବାଦରୁ ଦୁଇ ଆକ୍ରାନ୍ତ ଚିହ୍ନଟ, ଦେଶରେ ୧୧୩କୁ ବୃଦ୍ଧି
ଲକ୍ଷ୍ନୌ : ଦେଶରେ ଦ୍ରୁତଗତିରେ ମାଡି ଚାଲିଛି ଓମିକ୍ରନ ଭାଇରସ। ଗୋଟିଏ ପରେ ଗୋଟିଏ ରାଜ୍ୟରୁ ଚିହ୍ନଟ ହେଉଛନ୍ତି ସଂକ୍ରମିତ। ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ହୁ ହୁ ହୋଇ ସଂକ୍ରମଣ ବଢିବାରେ ଲାଗିଛି। ଇତିମଧ୍ୟରେ ଉତ୍ତରପ୍ରଦେଶରୁ ମଧ୍ୟ ରାଜ୍ୟର ପ୍ରଥମ ଓମିକ୍ରନ ମାମଲା ସାମ୍ନାକୁ ଆସିଛି। ୟୁପିର ଗାଜିଆବାଦରୁ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓମିକ୍ରନ ଚିହ୍ନଟ ୨ ବ୍ୟକ୍ତିଙ୍କର ବୟସ ୬୦ ବର୍ଷ ଲେଖାଏଁ ହେବ । ଜଣେ ପୁରୁଷ ଓ ଅନ୍ୟ ଜଣେ ମହିଳା । ଏମାନେ ଡିସେମ୍ବର ୨ ତାରିଖରେ କୋଭିଡ ଚିହ୍ନଟ ହୋଇଥିଲେ। କିନ୍ତୁ ୧୭ ତାରିଖ ରାତି ଜିନୋମ ପରେ ଓମିକ୍ରନ ଦ୍ୱାରା ପୀଡିତ ଥିବା ସ୍ପଷ୍ଟ ହୋଇଛି । ୧୦ରୁ ଊର୍ଦ୍ଧ୍ବ ରାଜ୍ୟରେ ଓମିକ୍ରନ ଭାରିଆଣ୍ଟ ବ୍ୟାପିବା ପରେ ଏବେ ଦେଶର ମୋଟ ମାମଲା ୧୧୩ରେ ପହଞ୍ଚିଛି।
ସୂଚନା ଯେ,, ୟୁପିରୁ ନୂଆ କରି ଚିହ୍ନଟ ହୋଇଥିବା ଦୁଇ ସଂକ୍ରମିତ ଜଣେ ପୁରୁଷ ଏବଂ ଜଣେ ମହିଳା ଅଟନ୍ତି। ଉଭୟଙ୍କ ବୟସ ୬୦ ବର୍ଷରୁ ଊର୍ଦ୍ଧ୍ବ ହୋଇଥିବା ଜଣାପଡିଛି। ଗତ ୨ ତାରିଖରେ ଦୁହେଁ କୋଭିଡ ପଜିଟିଭ ଆସିଥିଲେ। ହେଲେ ଶୁକ୍ରବାର ରାତିରେ ଜିନମ ସିକ୍ୟୁଏନ୍ସିଂ ପରେ ସେମାନଙ୍କ ଠାରେ ଏହି ନୂଆ ଭାଇରସ ଚିହ୍ନଟ ହୋଇଛି। ୟୁପିରେ ପ୍ରଥମଥର ଓମିକ୍ରନ ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ତୁରନ୍ତ ହାଇଆଲର୍ଟ ମୋଡକୁ ଆସିଛନ୍ତି ଏବଂ ଜରୁରୀ ପଦକ୍ଷେପ ଗ୍ରହଣ କରୁଛନ୍ତି।
ଦେଶର ପ୍ରମୁଖ ରାଜ୍ୟରେ ଏହି ନୂଆ ଭାରିଆଣ୍ଟ ଏଣ୍ଟ୍ରି ମାରି ସାରିଲାଣି। ଗତକାଲି(ଶୁକ୍ରବାର) ଗୋଟିଏ ଦିନରେ ଦିଲ୍ଲୀରୁ ପୁଣି ୧୦ ନୂଆ ମାମଲା ଠାବ ପରେ ଚାରିଆଡେ ଭୟ ବଢି ଯାଇଛି। ସେପଟେ ମହାରାଷ୍ଟ୍ରରେ ମଧ୍ୟ ପୁଣି ୮ ନୂଆ ସାମ୍ନାକୁ ଆସିଥିବାବେଳେ ଏଠାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି। ରାଜସ୍ଥାନ, କେରଳ ଏବଂ କର୍ଣ୍ଣାଟକରେ ମଧ୍ୟ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାସହିତ ଦେଶବ୍ୟାପୀ ମୋଟ ମାମଲା ୧୦୦ ପାର୍ କରିଛି।