୧୦ ଲକ୍ଷର ଗଞ୍ଜେଇ ସହ ୨ଟି କାର ଜବତ, ୪ ଅଭିଯୁକ୍ତ ଗିରଫ
ରୂପସା : ଅବକାରୀ ଗୁଇନ୍ଦା ବିଭାଗ ପୋଲିସକୁ ମିଳିଛି ବଡ଼ ସଫଳତା । ବାଲେଶ୍ୱର ୬୦ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ୍ ଓ ରାଜଘାଟ ନିକଟରେ ସୋମବାର କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଜଳେଶ୍ୱର ଓ ବସ୍ତା ଅବକାରୀ ଥାନା ପୋଲିସଙ୍କ ସହାୟତାରେ ମିଳିତ ଭାବେ ଚଢ଼ାଉ କରି ଦୁଇଟି କାର ସହିତ ୨ କୁଇଣ୍ଟାଲ୍ ଗଞ୍ଜେଇ ଜବତ କରିଛନ୍ତି । ଏଥି ସହ ୪ ଅଭିଯୁକ୍ତଙ୍କୁ ବିଭାଗ ତରଫରୁ ଗିରଫ କରାଯାଇ ଅଧିକ ତଦନ୍ତ ଜାରି ରହିଛି । ଗିରଫ ଅଭିଯୁକ୍ତ ହେଲେ ଡ୍ରାଇଭର ଜଳେଶ୍ୱର ଥାନା ସୁଗୋ ଅଞ୍ଚଳର ସଞ୍ଜୀବ କୁମାର ପାତ୍ର, ବୁଦ୍ଧେଶ୍ୱର ଜେନା, ଡ୍ରାଇଭର ସୋର ଥାନା ଅଞ୍ଚଳର ଉତ୍ତମ ମଲ୍ଲିକ ଓ କେନ୍ଦୁଝର ଆନନ୍ଦପୁର୍ ଅଞ୍ଚଳର ଧନୁ ପ୍ରଧାନ ।
ଜବତ ଗଞ୍ଜେଇର ପରିମାଣ ଦୁଇ କୁଇଣ୍ଟାଲ ରୁ ଅଧିକ ହୋଇଥିବା ବେଳେ ବଜାରରେ ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଉକ୍ତ ଗଞ୍ଜେଇକୁ ୨ ଟି କାର (ନଂ ଓଡ଼ି୦୨ଡି- ୨୮୩୫, ଓଡ଼ି୦୧ବି-୪୭୭୯)ଯୋଗେ ଗଜପତିରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ବେଳେ ଗୁଇନ୍ଦା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ ହୋଇଥିଲା । ରାଜପଥ ଦେଇ ନିୟମିତ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବିଭାଗ ପାଖରେ ଖବର ଥିଲା ।